Skip to content
ରାଜକନିକା,୬/୮(ଓଡ଼ିଆନ୍ ମିଡ଼ିଆ): ରାଜକନିକା ବ୍ଲକ୍ ଅନ୍ତର୍ଗତ ଚେରଟଂପଡ଼ା ଗ୍ରାମରେ ଭଡ଼ାରେ ରହୁଥିବା ଜଣେ ୨୮ ବର୍ଷୀୟ ମହିଳା କରୋନା ଆକ୍ରାନ୍ତ ହେବା ପରେ ତାଙ୍କୁ ଗତ ୩୧ ଜୁଲାଇରେ ପ୍ରଶାସନ ପକ୍ଷରୁ କେନ୍ଦ୍ରାପଡ଼ା ଛତା କୋଭିଡ଼୍ ଚିକିତ୍ସାଳୟକୁ ପଠାଯାଇଥିଲା । ମାତ୍ର ଛଅ ଦିନ ପରେ ସଂପୃକ୍ତ ମହିଳା ଜଣକ କରୋନା ନେଗେଟିଭ୍ ହୋଇଥିବାରୁ ପ୍ରଶାସନ ସଂପୃକ୍ତ ମହିଳାଙ୍କୁ ପୁଣି ରାଜକନିକା ଚେରଟଂପଡ଼ା ଭଡ଼ା ଘରକୁ ଫେରାଇ ଆଣିଥିଲେ । ହେଲେ ଗୁରୁବାର ରାତିରେ ଚେରଟଂପଡ଼ା ଗ୍ରାମବାସୀ ମହିଳାଙ୍କୁ ଗ୍ରାମରେ ପୁରାଇ ଦେଇନଥିଲେ । ଏହା ସହିତ ଭଡ଼ାଘରର ମାଲିକ କବାଟ କିଳି ଦେଇଥିଲେ । ଏହା ସଂପୃକ୍ତ ମହିଳାଙ୍କୁ ଘର ଭିତରକୁ ଯିବାକୁ ଦେଇ ନଥିଲେ । ରାଜକନିକା ବିଡ଼ିଓ ଏବଂ ଥାନା ଆଇଆଇସି ଯେତେ ଡ଼ାକିଲେ ବି ଘର ମାଲିକ ଘର ଖୋଲି ନଥିଲେ । ଏହା ସହିତ ଗ୍ରାମବାସୀମାନେ ପ୍ରଶାସନକୁ ତୀବ୍ର ସମାଲୋଚନା କରିଛନ୍ତି । ଜଣେ କରୋନା ଆକ୍ରାନ୍ତ ମାତ୍ର ୬ଦିନରେ କେମିତି ଭଲ ହୋଇଗଲେ ବୋଲି ପ୍ରଶ୍ନ କରିଛନ୍ତି ଗ୍ରାମବାସୀମାନେ । ଦୀର୍ଘ ସମୟ ଧରି ଗ୍ରାମବାସୀ ଆଉ ପ୍ରଶାସନ ମଧ୍ୟରେ ବୁଝାସୁଝା ପରେ କିଛି ଲାଭ ହୋଇନଥିଲା । ଗ୍ରାମବାସୀମାନେ ଜିଦ୍ରେ ଅଟଳ ରହିଥିଲେ । ଫଳରେ ନିରୂପାୟ ହୋଇ ପ୍ରଶାସନ ସଂପୃକ୍ତ ମହିଳା ଏବଂ ତାଙ୍କର ଛୋଟ ପିଲାମାନଙ୍କୁ ଧରି ଆର୍ଏନ୍ ହାଇସ୍କୁଲରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରରେ ଏକ ସ୍ୱତନ୍ତ୍ର ଘରେ ରଖାଇବାର ବ୍ୟବସ୍ଥା ଗ୍ରହଣ କରିଥିବାର ଜଣାପଡ଼ିଛି ।