Skip to content
କୋଲାକାତା,୩୧/୭: ୧୯୯୫ ଜୁଲାଇ ୩୧ ଥିଲା ଭାରତ ପାଇଁ ଏକ ଐତିହାସିକ ଦିନ। ସେହିଦିନ କଲିକତା ସହରରୁ ଦେଶର ପ୍ରଥମ ମୋବାଇଲ୍ କଲ୍ ଦିଲ୍ଲୀକୁ କରାଯାଇଥିଲା। ୨୫ ବର୍ଷ ପୂର୍ବେ ଯେଉଁ ବିପ୍ଳବ ଆରମ୍ଭ ହୋଇଥିଲା ତାହା ଏବେ ଦେଶର କୋଣ ଅନୁକୋଣରେ ପହଞ୍ଚିପାରିଛି। ଚୀନ୍ ପଛକୁ ବିଶ୍ବର ଦ୍ବିତୀୟ ସର୍ବାଧିକ ମୋବାଇଲ୍ ଗ୍ରାହକ ଭାରତରେ ଅଛନ୍ତି। ୧୩୦ କୋଟିରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଭାରତରେ ଏବେ ପ୍ରାୟ ୧୧୫ କୋଟି ଲୋକ ମୋବାଇଲ୍ ବ୍ୟବହାର କରୁଛନ୍ତି। ୧୯୯୫ରେ ମୋବାଇଲ୍ରେ କଲ୍ କରିବା ଅତ୍ୟନ୍ତ ମହଙ୍ଗା ଥିଲା। ମିନିଟ୍ ପିଛା ୧୬ ଟଙ୍କା ୮୦ ପଇସା ଖର୍ଚ୍ଚ କରିବାକୁ ପଡ଼ୁଥିଲା। ଏବେ ନିଶୁଳ୍କ ମୋବାଇଲ୍ କଲ୍ର ଯୁଗ ଆସିଛି। କିଛି ସହର ଓ ରାଜ୍ୟରେ ଜନସଂଖ୍ୟା ଠାରୁ ମୋବାଇଲ୍ ସଂଯୋଗ ସଂଖ୍ୟା ଅଧିକ ରହିଛି।
ଭାରତରେ ମୋବାଇଲ୍ ସେବାର ମୁଳଦୂଆ ୧୯୯୪ରେ ପଡ଼ିଥିଲା। ଜାତୀୟ ଟେଲିକମ୍ ନୀତି ଅନୁଯାୟୀ ମୋବାଇଲ୍ ସେବା ପ୍ରଦାନ କରିବା ଲାଗି ଘରୋଇ କଂପାନିଗୁଡ଼ିକୁ ଅନୁମତି ମିଳିଥିଲା। ସେହି ବର୍ଷ ମଧ୍ୟ ଭାଗରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁ ‘ମୋଦୀ ଟେଲଷ୍ଟ୍ରା’ ନାମକ ଟେଲିକମ୍ କଂପାନିର ଅଧ୍ୟକ୍ଷ ବି କେ ମୋଦୀଙ୍କୁ କୋଲକାତାର ରାଇଟର୍ସ ବିଲ୍ଡିଂକୁ କଥାବାର୍ତା ପାଇଁ ଆମନ୍ତ୍ରଣ କରିଥିଲେ। ତାହା ଏକ ସୌଜନ୍ୟମୂଳକ ସାକ୍ଷାତ ବୋଲି ବିଚାର କରାଯାଉଥିଲା। ମାତ୍ର ସେହି ବୈଠକରେ ଶ୍ରୀ ମୋଦୀଙ୍କୁ ବସୁ କହିଥିଲେ ମୋବାଇଲ୍ ସେବା ପାଇଁ ଦେଶର ପ୍ରଥମ ସହର କଲିକତା ହେଉ ବୋଲି ମୁଁ ଚାହୁଛି। ସେହିଦିନ ତାରିଖ ଧାର୍ଯ୍ୟ ହୋଇଥିଲା। କୋଲକାତାରୁ ମୋବାଇଲ୍ ସେବା ଆରମ୍ଭ କରିବାକୁ ଉଭୟ ବସୁ ଓ ମୋଦୀ ସଂକଳ୍ପ ନେଇଥିଲେ। ମୋବାଇଲ୍ ସେବା ଆରମ୍ଭ କରିବା ଲାଗି ପ୍ରଯୁକ୍ତି ସନ୍ଧାନରେ ବି କେ ମୋଦୀ ଓ ତାଙ୍କ ଟିମ୍ ଅଷ୍ଟ୍ରେଲିଆ ଯାତ୍ରା କରିଥିଲେ। ସେଠାରେ ସହଯୋଗୀ ସଂସ୍ଥା ଟେଲ୍ଷ୍ଟ୍ରାକୁ ପାଇଥିଲେ। ଏହାପରେ ନେଟ୍ୱର୍କ ସ୍ଥାପନ କରୁଥିବା କଂପାନିର ସନ୍ଧାନ କରାଯାଇଥିଲା। ନୋକିଆ ରୂପରେ ନେଟ୍ୱର୍କ ସହଯୋଗୀ ମିଳିଗଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ଭାରତ ଆସିବାକୁ ନୋକିଆ ଅମଙ୍ଗ ହୋଇଥିଲା। ବହୁ ବୁଝାଶୁଝା କରିବା ପରେ ନୋକିଆ ଭାରତ ଆସିବାକୁ ରାଜି ହୋଇଥିଲା। ମାତ୍ର ନଅ ମାସ ଭିତରେ ପ୍ରଥମ ମୋବାଇଲ୍ ନେଟ୍ୱର୍କକୁ କଲିକତାରେ ସ୍ଥାପନ କରାଯାଇଥିଲା।୧୯୯୫ ଜୁଲାଇ ୩୧ରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ବସୁ କଲିକତାର ରାଇଟର୍ସ ବିଲ୍ଡିଂରେ ବସି ନୂଆଦିଲ୍ଲୀ ସଞ୍ଚାର ଭବନରେ ଥିବା ପୂର୍ବତନ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ସୁଖ ରାମଙ୍କୁ ଏକ ନୋକିଆ ମୋବାଇଲ୍ରୁ ଦେଶର ପ୍ରଥମ ମୋବାଇଲ୍ କଲ୍ କରିଥିଲେ।