111

ରାଜ୍ୟ ସରକାର ମତେ ଜାଣିଶୁଣି ଅଣଦେଖା କରୁଛନ୍ତି : ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ

ପୁରୀ,୩୦/୧୨( ଓଡ଼ିଆନ୍‍ ନ୍ୟୁଜ୍‍ ): ଇଣ୍ଡିଆ ଗଟ୍‌ ଟ୍ୟାଲେଣ୍ଟରେ ନିଜର ପ୍ରତିଭା ଦେଖାଇ ଫାଇନାଲ ପର୍ୟ୍ୟନ୍ତ ଯାଇଥିଲେ ପୁରୀର ବାଲୁକା ଶିଳ୍ପୀ ମାନସ ସାହୁ । ଦୁବାଇ ଗଟ ଟ୍ୟାଲେଣ୍ଟରେ ବି ନିଜର ହାତର ଯାଦୁଗରୀ ଦେଖାଇ ଦେଶ ତଥା ରାଜ୍ୟ ପାଇଁ ସମ୍ମାନ ହାସଲ କରିଥିଲେ । କେବଳ ସେତିକି ନୁହେଁ ଦେଶ ବିଦେଶର ଅନେକ ସ୍ଥାନରେ ବାଲୁକା କଳା ସହ ସ୍ୟାଣ୍ଡ ଆନିମେସନ୍‌ ପ୍ରଦର୍ଶନ କରି ବେଶ ପ୍ରଶଂସା ସାଉଣ୍ଟିଛନ୍ତି । ଉତ୍ତର ପ୍ରଦେଶ ପର୍ୟ୍ୟଟନ, କେନ୍ଦ୍ର ଅବକାରୀ ଓ ସୀମା ଶୁଳ୍କ ବିଭାଗ ପାଇଁ କାମ କରିଛନ୍ତି । ଜାତୀୟ ଖବର ପ୍ରସାରଣ ସଂସ୍ଥା ଏବିପି ନ୍ୟୁଜ ପାଇଁ ବି କାମ କରିଛନ୍ତି ।

କେବଳ ସେତିକି ନୁହେଁ ରାଜ୍ୟରେ ପର୍ୟ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଗତ କିଛି ବର୍ଷ ହେଲା ପୁରୀ ବେଳା ଭୂମିରେ ନିଜସ୍ୱ ଚେଷ୍ଟାରେ ଖ୍ରୀଷ୍ଟମାସ ଓ ନୂଆ ବର୍ଷ ସମୟରେ ସ୍ୟାଣ୍ଡ ଆର୍ଟ ପାର୍କ କରି ବାଲୁକା କଳା ନିର୍ମାଣ କରୁଛନ୍ତି । ହଜାର ହଜାର ପର୍ୟ୍ୟଟକ ଏହି ବାଲୁକାକଳା ଦେଖିବ ଓଡିଶାର ସହ ମାନସ ସାହୁଙ୍କର ପ୍ରଶଂସା କରିଛନ୍ତି । ମାତ୍ର ନିଜ ରାଜ୍ୟରେ ରାଜ୍ୟ ସରକାର ତାଙ୍କୁ ଅଣଦେଖା କରିଥିବା ମାନସ ଅଭିଯୋଗ କରିଛନ୍ତି । ସେ ଏକ ସ୍ୟାଣ୍ଡ ଆର୍ଟ ପାର୍କ ନିର୍ମାଣ କରିଥିଲେ ବି ତାଙ୍କୁ ସରକାରୀ ସାହାଯ୍ୟ ମିଳୁ ନାହିଁ । ଏପରିକି ରାଜ୍ୟରେ ସରକାରୀ ସ୍ତରରେ ହେଉଥିବା ଅନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀ ରେ ତାଙ୍କୁ ନିମନ୍ତ୍ରଣ ଦେଉ ନାହାନ୍ତି କି ଭାଗ ନେବାକୁ ସୁଯୋଗ ଦେଉ ନ ଥିବା ମାନସ ଅଭିଯୋଗ କରିଛନ୍ତି । ରାଜ୍ୟ ପର୍ୟ୍ୟଟନ ଓ ସଂସ୍କୃତି ବିଭାଗ ସହ ରାଜ୍ୟ ସରକାର ତାଙ୍କୁ ଅଣଦେଖା କରୁଥିବା ମାନସ ସାହୁ ଅଭିଯୋଗ କରିଛନ୍ତି । ଏବେ ଅନ୍ୟ ରାଜ୍ୟମାନଙ୍କରେ ସ୍ୟାଣ୍ଡ ଆର୍ଟ ପାର୍କ ନିର୍ମାଣ ପାଇଁ ପ୍ରୋତ୍ସାହନ ମିଳୁ ଥିବା କଥା ସେ କହିଛନ୍ତି । ମାତ୍ର ଓଡିଶା ସରକାରଙ୍କ ପ୍ରୋତ୍ସାହନ ମିଳିଲେ ରାଜ୍ୟରେ ପର୍ୟ୍ୟଟନର ବିକାଶ ଓ ବାଲୁକା କଳାର ବିକାଶ ପାଇଁ ସେ ଅନେକ କିଛି କରିପାରିବେ ବୋଲି କହିଛନ୍ତି ।

Spread the love