Skip to content
ରାଜକନିକା,୨/୯(ଓଡିଆନ ମିଡିଆ): ରାଜକନିକା ବ୍ଲକ୍ ଅନ୍ତର୍ଗତ ଗୀରିଆ-କୋଠସାହି ଗ୍ରାମର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଚରଣ ମଲ୍ଲିକଙ୍କର ୭୪ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଗତ କିଛି ମାସ ଧରି ରୋଗଶର୍ଯ୍ୟାରେ ପିଡ଼ିତ ହୋଇ ଚିକିତ୍ସିତ ହେଉଥିଲେ । ତାଙ୍କ ମୃତ୍ୟୁଶର୍ଯ୍ୟା ନିକଟରେ ପତ୍ନୀ ସୁନନ୍ଦାଙ୍କ ସହିତ ପୁଅ ଦୀପକ, ତୁଷାର, ବୋହୁ ସୁଲୋଚନା, କନକଲତାଙ୍କ ସହିତ ନାତି ନାତୁଣୀ ପରିବାର ବର୍ଗ ଉପସ୍ଥିତ ରହିଥିଲେ । ତାଙ୍କ ବାସଭବନରେ ତାଙ୍କର ଅନ୍ତିମ ସତ୍କାର କରାଯାଇଛି । କଳାହାଣ୍ଡିରେ ପ୍ରଥମ କରି ଶିକ୍ଷକତା କରିବା ପରେ କେନ୍ଦ୍ରାପଡ଼ା ଜିଲାର ରାଜକନିକା ବ୍ଲକ୍ର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକତା କରି ଝାରକଟା ନୋଡ଼ାଲ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାବେ ସ୍ୱର୍ଗତ ମଲ୍ଲିକ ଅବସର ନେଇଥିଲେ । ଜଣେ ଛାତ୍ରବତ୍ସଳ ଶିକ୍ଷକ ଭାବେ ଖୁବ୍ ପରିଚିତ ଥିଲେ । ଅବସର ପରେ ସ୍ୱର୍ଗତ ମଲ୍ଲିକ ସନ୍ଥ ନିରଙ୍କାରୀ ମିଶନରେ ଯୋଗଦେଇ ଆଳି ଏବଂ ରାଜକନିକା ଅଂଚଳରେ ସତ୍ସଙ୍ଗ ମାଧ୍ୟମରେ ନିରାକାର ଧର୍ମୀୟ ପ୍ରଚାରରେ ନିଜକୁ ନିୟୋଜିତ କରିଥିଲେ । ତାଙ୍କ ପରଲୋକରେ ସ୍ଥାନୀୟ ଅଂଚଳରେ ଗଭୀର ଶୋକ ପ୍ରକାଶ ପାଇଛି । ତାଙ୍କ ପରଲୋକରେ ଭାରିଗଦା ନୋଡ଼ାଲ ହାଇସ୍କୁଲର ପ୍ରଧାନଶିକ୍ଷକ ଭାଗୀରଥି ଧଳ, କ୍ରୀଡ଼ାଶିକ୍ଷକ ଗୋଲକ ବିହାରୀ ମଲ୍ଲିକ, ବରିଷ୍ଠ ଆଇନଜୀବୀ ହିମାଂଶୁ ଭୂଷଣ ସୂତାର, ଅଧ୍ୟାପକ ନିରଞ୍ଜନ ଧଳ, ସିଆସିସି ଜୟନ୍ତ ମଲ୍ଲିକ ଏବଂ ଅବସରପ୍ରାପ୍ତ ଶିକ୍ଷକ ତ୍ରିଲୋଚନ ମଲ୍ଲିକ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି । ସନ୍ଥ ନିରଙ୍କାରୀ ମଣ୍ଡଳ , ରାଜକନିକା ଏବଂ ଆଳି ଶାଖା ପକ୍ଷରୁ ତାଙ୍କ ପରଲୋକରେ ଶୋକ ପ୍ରକାଶ କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଶାନ୍ତ୍ୱନା ପ୍ରଦାନ କରିଛନ୍ତି ।