771

ଗମ୍ଭୀର ହେଉଛି ରାଜକନିକା 

କଟକ-ଚାନ୍ଦବାଲି ରାସ୍ତା ଛୁଇଁଲା ବନ୍ୟାଜଳ, ବାଂଶିରିଆ-ହଟିଆପଡ଼ା ରାସ୍ତାରେ ଚାରିଫୁଟ୍‌ର ବନ୍ୟାପାଣି

ରାଜକନିକା,୨୯/୮(ଓଡିଆନ ମିଡିଆ): ଖରସ୍ରୋତାରେ ବଢ଼ିଚାଲିଛି ବନ୍ୟା ପାଣି । ଶନିବାର ସନ୍ଧ୍ୟା ସୁଦ୍ଧା ବନ୍ୟା ପାଣି ବଢ଼ିବା କାରଣରୁ ରାଜକନିକା ବ୍ଲକ୍‌ର ପଧାନପଡ଼ା, ପଣସଗଣ୍ଡ, ବାରାହାଦୋମୁଣ୍ଡା, ନହୁଣୀ, ପେଗରପଡ଼ା, ବରୁଣା, ବରୁଣାଡ଼ିଆ, ଭାରିଗଦା, ପାରିନୂଆପଡ଼ା, କଂଟପଡ଼ା, ସିକୋ, କୋରନ୍ଦ, କାଟଣାବଣିଆଁ ୧୩ଟି ଗ୍ରାମପଂଚାୟତର ୫୨ଟି ଗାଁରେ ବନ୍ୟା ଜଳ ପ୍ରବେଶ କରିଛି । ଏହା ସହିତ ରାଜକନିକା ବ୍ଲକ୍‌ର ବାଂଶିରିଆ-ହଟିଆପଡ଼ା ଠାରେ ନଦୀ ବନ୍ଧରେ ଘାଇ ସୃଷ୍ଟି ହୋଇ ରାସ୍ତା ଉପରେ ଛଅ ଫୁଟ୍‌ର ପାଣି ପ୍ରବଳ ବେଗରେ ଚାଲିଛି । ଏହି କାରଣରୁ ରାସ୍ତାରେ ଯାତାୟତ ବିଚ୍ଛିନ୍ନ ହୋଇପଡ଼ିଛି । ସିକୋ ଏବଂ କୋରନ୍ଦ ଗ୍ରାମପଂଚାୟତର ଲୋକମାନଙ୍କର ଘରେ ପାଣି ପ୍ରବେଶ କରିବା ସହିତ ଶହଶହ ଏକର ଧାନଫସଲରେ ବନ୍ୟାପାଣି ମାଡ଼ିଯାଇଛି । ସେହିଭଳି ବରୁଣାରୁ ଛଦେଶ-ଓଳାଭର ରାସ୍ତା ଉପରେ ତିନି ଫୁଟ୍‌ର ପାଣି ଚାଲିଛି । ପାରିମକୁନ୍ଦପୁର ବନ୍ଧପଡ଼ା ରାସ୍ତାରେ ଘାଇ ସୃଷ୍ଟି ହୋଇଛି । ବରୁଣାରୁ ବରୁଣାଡ଼ିଆ ଗ୍ରାମ୍ୟ ରାସ୍ତା ଉପରେ ଦୁଇ ଫୁଟ୍‌ର ପାଣି ଚାଲିଛି । ନୂଆପଡ଼ା ରୁ ବନ୍ଧପଡ଼ା ରାସ୍ତା ଉପରେ ତିନି ଫୁଟ୍ ପାଣି ଚାଲିଛି । ରାତି ସୁଦ୍ଧା ଅଧିକ ପାଣି ହେବା ନେଇ ତଟବନ୍ଧ ବିଭାଗ ପକ୍ଷରୁ କୁହାଯାଇଛି । ରାଜକନିକାର ମୁଖ୍ୟ ଗମନା ଗମନ କଟକ-ଚାନ୍ଦବାଲି ରାସ୍ତାର ଗଂଜା ଘାଟ ନିକଟରେ ରାସ୍ତାରୁ ମାତ୍ର ଅଧ ଫୁଟ୍ ତଳେ ବନ୍ୟାପାଣି ପ୍ରବାହିତ ହେଉଛି । ରାତି ସୁଦ୍ଧା ପାଣି ରାସ୍ତା ଉପରେ ଚାଲିବା ନେଇ ଆକଳନ କରାଯାଉଛି । ବରୁଣା ସରପଂଚ ଉତମ ସେନାପତି ପାଣି ଘେରରେ ରହିଥିବା ଲୋକମାନଙ୍କ ନିକଟରେ ପହଂଚି ତତ୍କାଳ ସହାୟତା ଯୋଗାଇ ଦେଇଛନ୍ତି । ହେଲେ ଭାରିଗଦାର ଅଚ୍ୟୁତ୍‌ପୁର ଠାରେ କଟକ-ଚାନ୍ଦବାଲି ରାସ୍ତା ପର୍ଯ୍ୟନ୍ତ ବନ୍ୟା ପାଣି ପହଂଚିଛି । ଅଧିକ ପାଣି ଆସିଲେ ରାସ୍ତା ବୁଡ଼ିବାର ଆଶଙ୍କା କରାଯାଉଛି । ପଧାନପଡ଼ା ପଂଚାୟତର ବନ୍ୟାଘେରରେ ରହିଥିବା ଗହମପାଳ ଏବଂ ସାନହଳୁପଡ଼ା ଗ୍ରାମର ଲୋକମାନଙ୍କୁ ରନ୍ଧା ଖାଦ୍ୟା ଯୋଗାଇ ଦିଆଯାଇଛି । ସେହିଭଳି କନପୁର ଗାଁରେ ଚୁଡ଼ା ବିସ୍କୁଟ୍‌, ଗୁଡ଼ ଏବଂ ପାଣି ପାଉଚ୍ ବନ୍ୟାବିପନ୍ନଙ୍କୁ ଦିଆଯାଇଛି । ବାରାହା କନପୁର, କାଇମା କନପୁର, ବାରାହା ଦୋମୁଣ୍ଡା, କାଇମା ଦୋମୁଣ୍ଡା, ଗୁଣ୍ଠଳ, ମାନପୁରର ଗାଁ ପାଣିଘେରରେ ରହିଛନ୍ତି । ସେହିଭଳି ପଧାନପଡ଼ା, ସାନହଳୁପଡ଼ା, ବଡ଼ହଳୁପଡ଼ା, ବାଲିସାହି, ଗହମପାଳ ବର୍ତମାନ ସୁଦ୍ଧା ଲୋକମାନେ ପାଣି ଘେରରେ ରହିଛନ୍ତି । ପାରିନୂଆପଡ଼ା ପଂଚାୟତର ପାରିନୂଆପଡ଼ା ଏବଂ ହାବଳଗଣ୍ଡ ଗାଁରେ ବନ୍ୟାପାଣି ପ୍ରବେଶ କରିଛି । ଭାରିଗଦା ପଂଚାୟତରେ ଅଚ୍ୟୁତ୍‌ପୁର, ମକୁନ୍ଦପୁର, ମନେଇଢ଼ିଅ, ଦଶଭଗାରିଆ, ମଙ୍ଗଳପୁର, ଝାରକଟା, କେଶନଗର, ବଡ଼ଯୋରମୁଁହ ଏବଂ ଭାରଗଦା ଗାଁ ଭିତରେ ବନ୍ୟାଜଳ ପ୍ରବେଶ କରି ଲୋକମାନଙ୍କୁ ଜଳବନ୍ଦୀ କରିଦେଇଛି । ଶନିବାର ରାତିରେ ଭାରିଗଦା ସରପଂଚ ପ୍ରଦୀପ୍ ମଲ୍ଲିକ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୟ ପ୍ରଧାନ ଡ଼ଙ୍ଗା ସାହାଯ୍ୟରେ ଲୋକମାନଙ୍କ ନିକଟରେ ପହଂଚି ଚୁଡ଼ା, ବିସ୍କୁଟ୍‌, ଗୁଡ଼, ଦିଆସିଲି, ମହବତୀ ଯୋଗାଉଛନ୍ତି । ଏହା ସହିତ ଲୋକମାନଙ୍କୁ ତତ୍କାଳ ଉଦ୍ଧାର ପାଇଁ ୪ଟି ଡ଼ଙ୍ଗା ସଜାଗ ରହିଥିବାର ସରପଂଚ ଶ୍ରୀମଲ୍ଲିକ କହିଛନ୍ତି । କାଟଣାବଣିଆଁ ପଂଚାୟତର ଜୟକୁଣ୍ଡା, ବାଜପୁର ଗାଁରେ ତିନି ଫୁଟ୍‌ର ବନ୍ୟାଜଳ ପ୍ରବେଶ କରିଛି । ଏହା ସହିତ ଏହି ଦୁଇ ଗାଁର ଲୋକମାନେ ଜଳବନ୍ଦୀ ରହିଛନ୍ତି । ପାଣି ବଢ଼ୁଥିବାରୁ ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି ।

Spread the love