ବ୍ରହ୍ମପୁର,୨୯/୮(ମନୋଜ ପାତ୍ର): ବେଆଇନ ମଦ ବିକ୍ରି ଅଭିଯୋଗରେ ସଦର ଥାନା ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୪୧ଲିଟର ମଦ ଜବତ କରାଯାଇଥିବା ଥାନା ଅଧିକାରୀଙ୍କ ଠାରୁ ସୂଚନା ମିଳିଛି ।ଖବର ନେବା ପରେ ଜାଣିବାକୁ ମିଳିଛି ଯେ, ହୁଗୁଳାପଟ୍ଟା କେନାଲ ରାସ୍ତା ଏବଂ ରେଗିଡି ଚଣ୍ଡିପଦର ଅଞ୍ଚଳରେ ବେଆଇନ ଭାବେ ମଦ ବିକ୍ରି ହେଉଥିବା ନେଇ ସଦର ଥାନା ନିକଟରେ ଖବର ପହଞ୍ଚିଥିଲା ।ଏହି ଖବର ପାଇବା ପରେ ସଦରଥାନା ପୋଲିସ ଓ ନିମଖଣ୍ଡି ଫାଣ୍ଡି ପୋଲିସର ମିଳିତ ଉଦ୍ୟମରେ ଉପରୋକ୍ତ ସ୍ଥାନମାନଙ୍କରେ ଚଢ଼ଉ କରି ୧୪୧ ଲିଟର ମଦ ଜବତ କରିବା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି lଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଚମାଖଣ୍ଡି ଥାନା ଅନ୍ତର୍ଗତ ରାମପଲ୍ଲୀ ଗ୍ରାମର ମିଲୁ ସାହିର ଜୟ ସ୍ବାଇଁ(୪୫) ଏବଂ ଅନ୍ୟ ଜଣେ ହୁଗୁଳାପଟ୍ଟା ପଞ୍ଚାୟତ ଅନ୍ତର୍ଗତ ଚଣ୍ଡିପଦର ହରିଜନ ସାହିର ହାଡୁବନ୍ଧୁ ଦାସ(୩୨) ବୋଲି ଜାଣିବାକୁ ମିଳିଛି ।ତେବେ ଉକ୍ତ ଦୁଇଜଣ ଅଭିଯୁକ୍ତ ଦୀର୍ଘଦିନ ଧରି କେରାଣ୍ଡିତୋଳା ଅଞ୍ଚଳରୁ ୧୨୦ ଏମଏଲ ପ୍ୟାକର ମହୁଲି ମଦ ପାଉଚ ଆଣି ହୁଗୁଳାପଟା ଓ ଚଣ୍ଡୀପଦର ଅଞ୍ଚଳରେ ବେଆଇନ ଭାବେ ବିକ୍ରି କରୁଥିଲେ ।ଯାହା ଫଳରେ ସ୍ଥାନୀୟ ସରକାରୀ ଦେଶୀ ମଦଭାଟି ମାଲିକଙ୍କୁ କ୍ଷତି ପହଞ୍ଚୁଥିଲା ।ତେବେ ଗିରଫ ହୋଇଥିବା ଜୟ ସ୍ୱାଇଁଙ୍କ ନିକଟରୁ ୭୩ ଲିଟର ମଦ ଜବତ ହୋଇଥିବା ବେଳେ ଥାନା କେସ ନମ୍ବର ୨୪୩/୨୦ ରେ ମାମଲା ରୁଜୁ କରାଯାଇଛି । ସେହିଭଳି ହାଡୁ ନିକଟରୁ ୬୮ ଲିଟର ମଦ ଜବତ କରାଯାଇଥିବା ବେଳେ ଥାନା କେସ ନମ୍ବର ୨୪୪/୨୦ ରେ ମାମଲା ରୁଜୁ କରାଯାଇଛି ।ଉଭୟ ଅଭିଯୁକ୍ତଙ୍କ କୋଭିଡ ଟେଷ୍ଟ ହେବା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସଦର ଥାନା ଅଧିକାରୀ ସନ୍ତୋସିନୀ ଓରାମଙ୍କ ଠାରୁ ସୂଚନା ମିଳିଛି lଏହି ଚଢ଼ଉରେ ସଦର ଥାନା ଏସଆଇ ଜ୍ୟୋତିରଞ୍ଜନ ବେହେରା, ନିମଖଣ୍ଡି ଫାଣ୍ଡି ଅଧିକାରୀ ଧୋବା ସ୍ୱାଇଁ, ଏଏସଆଇ ସୁରେଶ ସାହୁ, ଏଏସଆଇ ଉଷା ଦାସଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ସାମିଲ ଥିଲେ ।
266