Skip to content
ଗଞ୍ଜାମ,୨୬/୮(ମନୋଜ ପାତ୍ର):ସରକାରଙ୍କ ଏତେ ଯୋଜନା କାର୍ଯ୍ୟକାରି ପରେ ବି ସ୍ଥାନୀୟ ପ୍ରଶାସନର ଆନ୍ତରିକତା ଅଭାବରୁ ବିଭିନ୍ନ ସମୟରେ ଗରିବିର ନଗ୍ନ ରୂପ ଦେଖିବାକୁ ମିଳୁଛି। ଏହି ଗରିବ ପରିବାର ମାନେ କେତେ ବେଳେ ଦିଓଳି ମୁଠାଏ ଖାଇବାରୁ ବଞ୍ଚିତ ହୋଇଥାନ୍ତି ତୋ ଆଉ କେତେ ବେଳେ ଅନାହାରରେ ଜୀବନ ବିତାଉଛନ୍ତି ।ତେବେ ଏହି ଗରିବ ପରିବାର ନିଜର ମୌଳିକ ଆବଶ୍ୟକତା ପୂରଣ କରିବାରେ ଅକ୍ଷମ ହୋଇପଡ଼ିଥାନ୍ତି ।ତେବେ ଏହି ଭଳି ଗରିବ ପରିବାରରେ ଏକମାତ୍ର ରୋଜଗାର କରୁଥିବା ବ୍ୟକ୍ତି ଅଜଣା ରୋଗରେ ପିଡୀତ ହୋଇ ଅର୍ଥ ଅଭାବରୁ ଚିକିତ୍ସିତ ନହୋଇ ଶଯ୍ୟାସାୟୀ ଅବସ୍ଥାରେ ମୃତ୍ୟୁର ବାଟକୁ ଚାହିଁ ରହିଥାଏ । ଏହିଭଳି ଏକ ହୃଦୟ ବିଦାରକ କରୁଣ ଚିତ୍ର ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଅନ୍ତର୍ଗତ କୁଷଗୁମା ଗ୍ରାମରେ । ଆପଣ ଦେଖୁଥିବା ଏହି ବ୍ୟକ୍ତି ଜଣକ ହେଉଛନ୍ତି ବରଡାବଳି ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁଶଗୁମା ଗ୍ରାମର କବି ଗୌଡ । ଦଇବ ଦାଉ ସାଧିଲା ପରି ଗତ କିଛି ମାସ ହେଲା ଏକ ଅଜଣା ରୋଗରେ ପଡ଼ି ଅନ୍ୟର ସାହାରା ଲୋଡୁଛନ୍ତି ଏହି ବ୍ୟକ୍ତି ଜଣକ । ପରିବାର କହିଲେ ସ୍ଵାମୀ ଏବଂ ସ୍ତ୍ରୀ ଦୁଇ ଦମ୍ପତି । ସ୍ଵାମୀଙ୍କ ଏପରି ଅବସ୍ଥା ହେତୁ ପତ୍ନୀ ଗୋଲାପ ଗୌଡ ଭୁବନେଶ୍ୱରରେ ମୂଲ ଖଟି ପରିବାର ଚଳାଇବା ସହ ସ୍ଵାମୀଙ୍କ ଔଷଧ ଖର୍ଚ୍ଚ ବହନ କରୁଥିଲେ। ହେଲେ କରୋନା ସଂକ୍ରମଣ ଯୋଗୁଁ ଲକଡାଉନ ଜନିତ କଟକଣା ତାଙ୍କ ଠାରୁ ସେତିକି ମଧ୍ୟ ଛଡାଇ ନେଇଛି। ତେଣୁ ପ୍ରତି ଦିନ ଖଟିଲେ ଖାଉଥିବା କବିଙ୍କ ପରିବାର ଏବେ ସର୍ବ ହରା ହୋଇପଡିଛନ୍ତି । ରୋଜଗାର ନଥିବାରୁ ମୁଠାଏ ଖାଇବା ମଧ୍ୟ ଏମାନଙ୍କ ପାଇଁ ଏବେ ସମୁଦ୍ରକୁ ସଙ୍କେ ପାଲଟିଛି । ଏପରିକି ପ୍ରତି ମାସରେ ଆବଶ୍ୟକ ହେଉଥିବା ସ୍ଵାମୀଙ୍କ ଔଷଧ ଖର୍ଚ୍ଚ ବହନ କରିବାରେ ମଧ୍ୟ ବିଫଳ ହୋଇପଡ଼ିଛି।ରହିବା ପାଇଁ ଖଣ୍ଡିକ ଘର ନିର୍ମାଣ କାର୍ଯ୍ୟ ଚାଲିଥିଲା କିନ୍ତୁ ଅର୍ଥ ଅଭାବରୁ ଘର ନିର୍ମାଣ ବର୍ତ୍ତମାନ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡ଼ିରହିଛି । ଏଣୁ ଉକ୍ତ ପରିବାର ଗତ କିଛି ଦିନ ହେଲା ଗ୍ରାମରେ ଏକ ଭଡ଼ା ଘରେ ରହୁଛନ୍ତି । କିନ୍ତୁ ଭଡ଼ା ନଦେଇପରିବାରୁ ଘର ମାଲିକ ଘର ଖାଲି କରିବାକୁ ଆଦେଶ ଦେଇଯାଇଛନ୍ତି । ଏହିପରି ଓଳିଏ ଖାଇଲେ ଓଳିଏ ଉପବାସ ରହୁଥିବା ତଥା ମୁଣ୍ଡ ଗୁଞ୍ଜିବା ପାଇଁ ଅନ୍ୟର ଦ୍ଵାରସ୍ଥ ହେଉଥିବା ପରିବାରକୁ ନା ମିଳିଛି ରାସନ କାର୍ଡ ନା ମିଳିଛି ଆବାସ ଯୋଜନା। ସରକାରଙ୍କ ସମସ୍ତ ସହାୟତାରୁ ବଞ୍ଚିତ ହୋଇ ଦରିଦ୍ର ଅନାଟନରେ ଜୀବନ ବିତାଉଛନ୍ତି ଏହି ଅସହାୟ ପରିବାର। ସହାୟତା ପାଇଁ ପରିବାର ଏବଂ ଗ୍ରାମବାସୀ ସ୍ଥାନୀୟ ପ୍ରଶାସନକୁ ଅବଗତ କରାଇବା ସତ୍ତ୍ଵେ ଏଥିପ୍ରତି ପ୍ରଶାସନର ଦୃଷ୍ଟି ନପଡିବା ଅତି ପରିତାପର ବିଷୟ ଅଟେ ବୋଲି ଗ୍ରାମବାସୀଙ୍କ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ରୋଗାକ୍ରାନ୍ତ ସ୍ୱାମୀଙ୍କ ଏହିଭଳି ଅବସ୍ଥାକୁ ନେଇ ଚିନ୍ତାରେ ପଡିଛନ୍ତି ପତ୍ନୀ ଗୋଲାପ । ଏହି ପରିବାର ବର୍ତ୍ତମାନ ଦୟନୀୟ ଅବସ୍ଥାରେ ଜୀବନ ଅତିବାହିତ କରୁଥିବା ବେଳେ ତାଙ୍କ ପରିବାର ପ୍ରତି ପ୍ରଶାସନ କେତେ ଶୀଘ୍ର ସହାୟତାର ହାତ ବଢ଼ାଉଛି ତାହା ଆଗାମୀ ଦିନରେ ଦେଖିବାକୁ ବାକି ରହିଲା ।