Skip to content
କେନ୍ଦ୍ରାପଡା,୨୫/୮(ଓଡିଆନ ମିଡିଆ): – ଜଗତସିଂହପୁର ଜିଲ୍ଲା ବିରିଡିର ସାରା ଦେଶରେ ଚାଚଂଲ୍ୟ ସୃଷ୍ଟି କରିଥିବା ଛବିରାଣୀ ଧର୍ଷଣ ଓ ହତ୍ୟାକାଣ୍ଡର ରାୟ ପ୍ରଦାନ କରିଥିବା ଅବିଭକ୍ତ କଟକ ଜିଲ୍ଲାର ତତକାଳୀନ ଜିଲ୍ଲା ଦୈାରାଜଜ କୃଷ୍ଣ ଚନ୍ଦ୍ର କରଙ୍କର ମଙ୍ଗଳବାର ତାଙ୍କ ଭଗବାନପୁର(ସାନମଙ୍ଗଳା)ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ କେଶରପୁର ଗ୍ରାମର ପିତା ତ୍ରିଲୋଚନ କରଙ୍କ ସୁପୁତ୍ର ସ୍ଵର୍ଗତ କୃଷ୍ଣ ଚନ୍ଦ୍ର ଗତ ୧୯୨୮ମସିହା ଅକ୍ଟୋବର ମାସ ୯ତାରିଖରେ ଜନ୍ମଗ୍ରହଣ କରିଥିଲେ । ଶିକ୍ଷା ସମପ୍ତ ପରେ ଗତ ୧୯୬୧ ମସିହାରେ ବିଚାର ବିଭାଗରେ ଯୋଗଦେଇଥିବା ବେଳେ ୧୯୭୯ମସିହାରେ ଜିଲ୍ଲାଜଜ ଭାବେ କାର୍ଯ୍ୟାରମ୍ଭ କରିଥିଲେ । ଗତ ୧୯୮୦ମସିହା ଅକ୍ଟୋବରମାସ ୩ତାରିଖରେ ଜଗତସିଂହପୁର ଜିଲ୍ଲାର ବିରିଡିଠାରେ ହୋଇଥିବା ଛବିରାଣୀ ଧର୍ଷଣ ଓ ହତ୍ୟାକାଣ୍ଡ ଘଟଣାର ବିଚାର କରି ୧୯୮୧ ମସିହାରେ ଏକ ଉଲ୍ଲେଖନୀୟ ରାୟ ପ୍ରଦାନ କରିଥିଲେ ପ୍ରାକ୍ତନ ଜିଲ୍ଲାଜଜ ସ୍ଵର୍ଗତ କର । ସେହି ମାମଲାରେ ଅଭିଯୁକ୍ତମାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ ଜିଲ୍ଲାଜଜ ସ୍ଵର୍ଗତ କର । ୧୯୮୦ମସିହାରେ ହାଇକୋର୍ଟରେ ଅଭିଯୁକ୍ତମାନେ ଖଲାସ ହୋଇଯାଇଥିବା ବେଳେ ଘଟଣାର ୨୭ବର୍ଷ ପରେ ସୁପ୍ରୀମ କୋର୍ଟ ଜିଲ୍ଲାଜଜଙ୍କ ରାୟକୁ କାଏମ ରଖିଥିଲେ । ଏହି ରାୟ ସେତେବେଳେ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା । ସ୍ଵର୍ଗତ କରଙ୍କ ଶେଷକୃତ୍ୟ ବଡମଙ୍ଗଳାସ୍ଥିତ ଗ୍ରାମ ଶ୍ମଶାନରେ ସଂପନ୍ନ ହୋଇଥିବା ବେଳେ ପୁତ୍ର ଦେବକିଶୋର କର ମୁଖାଗ୍ନି ଦେଇଥିଲେ । ତାଙ୍କ ପୁତ୍ର ତଥା ବରିଷ୍ଠ ସାମ୍ବାଦିକ ମନୋଜ କର, ରଞ୍ଜନ କର, ଝିଅ ନଳିନୀ, ଜ୍ୱାଇଁ, ନାତି, ନାତୁଣି, ନାତୁଣି ଜ୍ୱାଇଁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସ୍ୱର୍ଗତ କରଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପ୍ରାକ୍ତନ ଆଇନ ସଚିବ ମିହିର ପରିଡା, ବରିଷ୍ଠ ଆଇନଜୀବୀ ଗୌରପ୍ରସାଦ ମହାନ୍ତି, ଭୀମସେନ ଭୂୟାଁ, ସାମ୍ବାଦିକ ଆଶିଷ ସେନାପତି, ସାମ୍ବାଦିକ ଶୁଭ୍ରାଂଶୁ ସୂତାର , ସାମ୍ବାଦିକ ଚିତ୍ତରଞ୍ଜନ ସାହୁ ପ୍ରମୁଖ ତାଙ୍କ ପରଲୋକରେ ଗଭୀର ଶୋକପ୍ରକାଶ କରିଛନ୍ତି । ସ୍ୱର୍ଗତ କରଙ୍କ ବିୟୋଗରେ ସାରା ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି ।