182

ସୁବିଧାରେ ଖାଦ୍ୟ ସାମଗ୍ରୀ ମିଳିବାକୁ ନେଇ ବ୍ଲକ୍ ଘେରିଲେ ଖାଉଟି

ପୂର୍ବତନ ବିଧାୟକଙ୍କ ହସ୍ତକ୍ଷେପ ପରେ ସୁବିଧାରେ ମିଳିବା ନେଇ ବିଡ଼ିଓଙ୍କ ପ୍ରତିଶ୍ରୃତି ।

ରାଜକନିକା,୨୪/୮( ଓଡ଼ିଆନ୍ ମିଡ଼ିଆ): ରାଜକନିକା ବ୍ଲକ୍‌ର ପେଗରପଡ଼ା ଏବଂ ବଳିଭଣ୍ଡା ଗ୍ରାମର ଶତାଧିକ ଖାଉଟି ସୋମବାର ରାଜକନିକା ବ୍ଲକ୍ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିଛନ୍ତି । ଖାଉଟିଙ୍କ ଅଭିଯୋଗ ହେଉଛିଯେ, ପେଗରପଡ଼ାରେ ପଂଚାୟତରେ ପୂର୍ବରୁ ଏକ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଖାଉଟୀ ସାମଗ୍ରୀ ବଂଟନ କରାଯାଉଥିଲା । ହେଲେ ଲୋକମାନଙ୍କୁ ରିଲିଫ୍ ସାମଗ୍ରୀ ବଂଟନ ସମୟରେ କମ୍ ପରିମାଣରେ ଦେବା କାରଣରୁ ଜିଲାପାଳଙ୍କ ଦ୍ୱାରା ସଂପୃକ୍ତ ଗୋଷ୍ଠୀଙ୍କୁ ନିଲମ୍ବିତ କରାଯାଇଛି । ଏହା ପରେ ନହୁଣୀ ଡ଼ିଲରକୁ ଏହି ଗ୍ରାମର ଲୋକମାନଙ୍କୁ ଖାଦ୍ୟ ସାମଗ୍ରୀ ବଂଟନ ନିମନ୍ତେ ସଂଯୋଗ କରାଯାଇଥିଲା । ଯାହାକି ଆଜି ପର୍ଯ୍ୟନ୍ତ ଲୋକମାନଙ୍କୁ ଖାଉଟୀ ସାମଗ୍ରୀ ଦିଆଯାଉଛି । ହେଲେ ପୁର୍ନବାର ଏହାକୁ ପରିବର୍ତନ କରି ପୁଣି ସିହୋପଡ଼ା ଡ଼ିଲରକୁ ଏହି ଗ୍ରାମର ଖାଉଟୀ ମାନଙ୍କୁ ଦେବା ପାଇଁ ସଂଯୋଗ କରାଯାଇଛି । ଏହି କାରଣକୁ ନେଇ ଆଜି ଶତାଧିକ ମହିଳାଙ୍କ ସମେତ ଦୁଇ ଶହ ଖାଉଟୀ କରୋନା ସତ୍ୱେ ବିଡ଼ିଓଙ୍କୁ ଭେଟି ଏଭଳି ବାରମ୍ବାର ପରିବର୍ତନ ନକରିବାକୁ ଦାବି କରିଛନ୍ତି । ଏହି ଘଟଣା ସଂପର୍କରେ ଖବର ପାଇଁ ଆଳିର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେପି ନେତା ଦୋଳଗୋବିନ୍ଦ ନାୟକ ଘଟଣାସ୍ଥଳରେ ପହଂଚି ଲୋକମାନଙ୍କ ସହିତ ଆଳୋଚନା କରିଥିଲେ । ଏହା ପରେ ବିଡ଼ିଓ ବିକ୍ରମ ପରିଡ଼ାଙ୍କୁ ଭେଟି ତୁରନ୍ତ ସଠିକ୍ ଢ଼ଙ୍ଗରେ ସୁବିଧାରେ ଲୋକମାନଙ୍କୁ ଖାଉଟୀ ପ୍ରଦାନ ନିମନ୍ତେ କହିଥିଲେ । ବିଡ଼ିଓ ଶ୍ରୀପରିଡ଼ା ମଧ୍ୟ ପୂର୍ବତନ ବିଧାୟକଙ୍କ କଥାକୁ ଗୁରୁତ୍ୱର ସହିତ ନେଇ ଲୋକମାନଙ୍କୁ ସଠିକ୍ ଏବଂ ସୁବିଧାରେ ଖାଉଟୀ ସାମଗ୍ରୀ ବଂଟନ କରାଯିବା ନେଇ ପ୍ରତିଶ୍ରୃତି ଦେଇଥିଲେ । ଏହି ଘଟଣା ସଂପର୍କରେ ରାଜକନିକା ଯୋଗାଣ ଅଧିକାରୀ ରବି ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତିଯେ,ପେଗରପଡ଼ାରେ ଖାଉଟୀ ବଂଟନ କରୁଥିବା ସ୍ୱୟଂ ସହାୟକ ଗୋଷ୍ଠୀ ଘଟଣା ଏବେ କୋର୍ଟରେ ବିଚାରଧୀନ ରହିଛି । ସେଥିପାଇଁ ସେହି ଗ୍ରାମକୁ ନୂତନ ଭାବେ ଦିଆନଯାଇ ସାମୟିକ ଭାବେ ନହୁଣୀ ଏବେ ପୁଣି ସିହୋପଡ଼ା ଡ଼ିଲର ସହିତ ସଂଯୋଗ କରାଯାଇଛି । ଖାଉଟୀମାନେ ସୁବିଧାରେ ସାମଗ୍ରୀ ପାଇପାରିବେ । ଏଥିରେ ଅସୁବିଧା ହେଲେ ପୁଣି ବିକଳ୍ପ ବ୍ୟବସ୍ଥା କରାଯିବ ବୋଲି ଯୋଗାଣ ଅଧିକାରୀ ଶ୍ରୀବେହେରା କହିଛନ୍ତି ।

Spread the love