80

୧୦ ଲକ୍ଷ ଟପିଛି କରୋନା ନମୂନା ପରୀକ୍ଷଣ, ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ।

ଭୁବନେଶ୍ଵର,୧୮/୮ : କୋଭିଡ ନମୁନା ପରୀକ୍ଷାରେ ଆଗରେ ରହିଛି ଓଡିଶା । କରୋନା ସଂକ୍ରମଣକୁ ରୋକିବା ଏବଂ ରୋଗୀଙ୍କୁ ଚିହ୍ନଟ କରି ଆଗୁଆ ପଦକ୍ଷେପ ନେବା ଲାଗି ଦିନକୁ ଦିନ ଓଡିଶାରେ ନମୂନା ପରୀକ୍ଷଣକୁ ଜୋର ଦିଆଯାଉଛି। ଏହାରି ମଧ୍ୟରେ ରାଜ୍ୟରେ ୧୦ ଲକ୍ଷ ଟପିଛି କରୋନା ନମୂନା ପରୀକ୍ଷଣ।  ରାଜ୍ୟରେ ଟେଷ୍ଟିଂ ପରିମାଣ ବୃଦ୍ଧି ପାଇଥିବାରୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅଗଷ୍ଟ ୧୬ରେ ପ୍ରତି ଦଶ ଲକ୍ଷରେ ଜାତୀୟ ନମୂନା ପରୀକ୍ଷଣ ୫୪୨ ରହିଥିବା ବେଳେ ରାଜ୍ୟରେ ପ୍ରତି ୧୦ ଲକ୍ଷ ଲୋକରେ ୧୦୯୬ ପରୀକ୍ଷା କରାଯାଇଥିଲା। ସେହିପରି ସୋମବାର ଏ ସଂଖ୍ୟା ୧୧୪୩ ରହିଥିଲା, ଯାହା ଦେଶର ପ୍ରଥମ । ପାଖାପାଖି ଗତ ୩ ଦିନ ମଧ୍ୟରେ ଦେଢଳକ୍ଷ ନମୂନା ପରୀକ୍ଷଣ କରାଯାଇଛି। ଓଡିଶା ନମୂନା ପରୀକ୍ଷଣ କରିବାରେ ଦେଶର ଏକ ପ୍ରମୁଖ ରାଜ୍ୟ ଭାବେ ଉଭା ହୋଇଛି। ଅଗଷ୍ଟ ୧୪ରେ ୪୭ ହଜାରରୁ ଅଧିକ, ଅଗଷ୍ଟ ୧୫ରେ ୫୨ ହଜାରରୁ ଅଧିକ ,୧୬ ତାରିଖରେ ୫୩ରୁ ଅଧିକ ଏବଂ ୧୭ ତାରିଖରେ ରାଜ୍ୟରେ ୫୦,୫୨୫ଟି ନମୂନା ପରୀକ୍ଷଣ କରାଯାଇଛି। ନମୂନା ପରୀକ୍ଷା କରି ପ୍ରତି ୧୦ ଲକ୍ଷ ଜନସଂଖ୍ୟା ତୁଳନାରେ ଓଡିଶା ଜାତୀୟ ହାରଠାରୁ ଦୁଇ ଗୁଣ ଅଧିକ ରହିଛି। ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ଅଧିକ ପରୀକ୍ଷା କରାଯାଉଛି । ଜୀବନ ବଞ୍ଚାଇବା ପାଇଁ ଏହି ଉଦ୍ୟମକୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
Spread the love