ବ୍ରହ୍ମପୁର,୧୪/୮(ମନୋଜ ପାତ୍ର):ଗଞ୍ଜାମ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ହ୍ରାସ ପାଉଥିବା ବେଳେ ଗତ ଜୁଲାଇ ମାସ ଅପେକ୍ଷା ଅଗଷ୍ଟ ମାସରେ ସ୍ୱାବ ଟେଷ୍ଟିଂ ହାରରେ ୧୦ ଗୁଣା ବୃଦ୍ଧି ପାଇଥିବା ନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଶୁକ୍ରବାର ଦିନ ଡ଼ାଇମଣ୍ଡ ଜୁବୁଲି ଟାଉନ୍ ହଲ୍ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଜିଲ୍ଲାରେ ବର୍ତ୍ତମାନ ୧ ଲକ୍ଷ ଲୋକଙ୍କ ସ୍ୱାବ ସଂଗ୍ରହ କରାଯାଇ ଟେଷ୍ଟିଂ କରାଯାଇଛି । ଯାହାକି ଦେଶର ଟେଷ୍ଟିଂ ତୁଳନାଠାରୁ ସର୍ବାଧିକ । ଆରଟି ପିସିଆ ଓ ଆଣ୍ଟିଜେନ୍ ଟେଷ୍ଟ ମାଧ୍ୟମରେ ଏକ ଲକ୍ଷ ଲୋକଙ୍କ ମଧ୍ୟରୁ ୧୪ ହଜାର ୧୨୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତକାଲି ଆଠ ହଜାର ଲୋକ ଟେଷ୍ଟିଂରୁ ତିନି ପ୍ରତିଶତ ଲୋକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତ ଜୁଲାଇ ୨୪ ତାରିଖରେ ୭୩୨ ଜଣ ସର୍ବାଧିକ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାପରେ ପ୍ରଶାସନ ପକ୍ଷରୁ ତ୍ୱରିତମୂଳକ ପଦକ୍ଷେପ କାରଣରୁ ଏତେ ବଡ଼ ସୁଫଳତା ମିଳିଥିବା ଜିଲ୍ଲାପାଳ କହିଛନ୍ତି । ଜିଲ୍ଲାରେ ରହିଥିବା କୋଭିଡ଼୍ ହୋମ୍ରେ ୫୦୨୮ଟି ଶଯ୍ୟା ରହିଛି ଏବଂ ୧୮୦ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି । ସେହିପରି କୋଭିଡ଼୍ କେୟାର ସେଣ୍ଟରରେ ୩୭୪୪ଟି ଶଯ୍ୟା ସହ ୪୬୧ ଜଣ ଚିକିତ୍ସିତ ହେଉଥିବା ବେଳେ କୋଭିଡ଼୍ ହସ୍ପିଟାଲରେ ଥିବା ୫୮୮ଟି ଶଯ୍ୟାରେ ୨୬୧ ଜଣ ଚିକିତ୍ସିତ ହେଉଛନ୍ତି । ଜିଲ୍ଲାର ୮୪ ପ୍ରତିଶତ ଗ୍ରାମ ଗ୍ରୀନ୍ ଜୋନ୍ ରହିଥିବା ବେଳେ ୫୫ ପ୍ରତିଶତ ସହରାଞ୍ଚଳ ଗ୍ରୀନ୍ ଜୋନ୍ରେ ରହିଥିବା ଜିଲ୍ଲାପାଳ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହାନଗର ନିଗମ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର ଯୋଗ ଦେଇ ସହରରରେ ସୁସ୍ଥ ହାର ୮୬ ପ୍ରତିଶତ ରହିଛି । ଆଇଏମ୍ଆର୍ସି ଓ ମହାନଗର ନିଗମ ପକ୍ଷରୁ ହୋଇଥିବା ସିରୋଲୋଜିକାଲ ସର୍ଭେରେ ଡ଼ାକ୍ତର, ପୁଲିସ୍, ଗଣମାଧ୍ୟମ ବ୍ୟକ୍ତିଙ୍କ ଭଳି ୧୨ଟି ବିଭିନ୍ନ ବିଭାଗର ଲୋକଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଛି । ଏଥିନିମନ୍ତେ ସହରର ୨୫ଟି ସ୍ଥାନରେ ସ୍ୱାସ୍ଥ୍ୟ ଟିମ୍ ନିୟୋଜିତ କରାଯାଇଥିଲା । କେବଳ ୩୧ ପ୍ରତିଶତ ଲୋକଙ୍କଠାରେ ହିଁ ରୋଗ ପ୍ରତିରୋଧକ ଶକ୍ତି ରହିଥିବା ସର୍ଭେରୁ ଜଣାପଡ଼ିଛି । ସହରରେ ପଜିଟିଭ୍ ସଂଖ୍ୟା ଶୂନ୍ ହେବା ଯାଏଁ ପ୍ରବେଶ ପଥ ଉପରେ କଟକଣା ରହିବ ବୋଲି କମିଶନର କହିଥିଲେ । ସ୍ୱାଧୀନତା ଦିବସ ପାଳନ ନେଇ ଅନୁମତି ଦିଆଯାଇଛି । କିନ୍ତୁ କୌଣସି ଦୋକାନ ବଜାର ଖୋଲାଯିବ ନାହିଁ । ତତ୍ସହିତ ପୂର୍ବଭଳି ପ୍ରତି ସପ୍ତାହର ଶନିବାର ଓ ରବିବାର ସଟ୍ଡ଼ାଉନ୍ ବଳବତ୍ତର ରହିବା ନେଇ କମିଶନର ଶ୍ରୀ ରାଠୋର ସୂଚନା ଦେଇଛନ୍ତି । ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତାତ୍ରୟ ଭାଉସାହେବ ଯୋଗ ଦେଇ ଗତ ଜୁଲାଇ ମାସରେ ବ୍ରହ୍ମପୁର ଉପଖଣ୍ଡର ଯେଉଁ ଗ୍ରାମ ଓ ପଞ୍ଚାୟତ ରେଡ଼୍ ଜୋନ୍ରେ ରହିିଥିଲା ତାହା ଆଜି ଗ୍ରୀନ୍ ଜୋନ୍ରେ ପରିଣତ ହୋଇଥିବା ଦେଖିବାକୁ ମିଳିଛି l ତେବେ ଚୌଧୁରୀ ଟିକରପଡ଼ା, ଏରେଣ୍ଡା, ଓ କୋଙ୍କରଡ଼ା ପଞ୍ଚାୟତକୁ ଗ୍ରୀନ୍ ଜୋନ୍ ଘୋଷଣା କରାଯାଇଛି । ଯେଉଁ ଗ୍ରାମ ଓ ପଞ୍ଚାୟତ ହଟ୍ସ୍ପଟ୍ରେ ରହିଛି ସେଠାରେ ସ୍ୱତନ୍ତ୍ର ଅଧିକାରୀଙ୍କୁ ନିୟୋଜିତ କରାଯାଇ ଡୋର୍ ଟୁ ଡୋର୍ ସର୍ଭେ ଓ ପରୀକ୍ଷଣ କରାଯାଉଥିବା ଉପଜିଲ୍ଲାପାଳ କହିଥିଲେ । କିନ୍ତୁ ଜିଲ୍ଲାର ଉପକୂଳ ଓ ସୀମାନ୍ତ ଅଞ୍ଚଳ ରଙ୍ଗେଇଲୁଣ୍ଡା ଓ ଚିକିଟି ବ୍ଲକର ବିଭିନ୍ନ ଗ୍ରାମରେ ସଂକ୍ରମଣ ହାର ଅଧିକ ରହିଛି । ସେଠାରେ ମଧ୍ୟ ସଂକ୍ରମଣ ହାରକୁ କମାଇବା ପାଇଁ ପ୍ରଚେଷ୍ଟା ଜାରି ରହିଥିବା ଉପଜିଲ୍ଲାପାଳ କହିଛନ୍ତି ।
104