ଲକ୍ଷ୍ନୌ ,୧୩/୮: ଅଗଷ୍ଟ ୫ରେ ରାମ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମଞ୍ଚରେ ଉପସ୍ଥିତ ଥିବା ଅଯୋଧ୍ୟାରେ ରାମ ଜନ୍ମଭୂମି ଟ୍ରଷ୍ଟର ମୁଖ୍ୟ ମହନ୍ତ ନୃତ୍ୟ ଗୋପାଳ ଦାସ କରୋନା ଆକ୍ରାନ୍ତ ହୋଇଛନ୍ତି। ତାଙ୍କର ସ୍ବାବ ନମୁନା ପରୀକ୍ଷା କରାଯାଇଥିବା ବେଳେ ଆଜି ତାଙ୍କର ରିପୋର୍ଟ ପଜିଟିଭ୍ ଆସିଛି। ଉତ୍ତରପ୍ରଦେଶର ଅଯୋଧ୍ୟାରେ ଅନୁଷ୍ଠିତ ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହରେ ମଞ୍ଚରେ ଉପସ୍ଥିତ ଥିବା ପାଞ୍ଚ ଜଣଙ୍କ ମଧ୍ୟରେ ଥିଲେ ମହନ୍ତ ନୃତ୍ୟ ଗୋପାଳ ଦାସ । ମଞ୍ଚରେ ଉପସ୍ଥିତ ଥିବା ଅନ୍ୟମାନେ ହେଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟପାଳ ଆନନ୍ଦିବେନ ପଟେଲ ଏବଂ ଆରଏସଏସ ସଂଗଠନର ମୁଖ୍ୟ ମୋହନ ଭାଗବତ। ମହନ୍ତ ନୃତ୍ୟ ଗୋପାଳ ଦାସ କରୋନା ଆକ୍ରାନ୍ତ ହେବା ପରେ ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି। ନୃତ୍ୟ ଗୋପାଳ ଦାସ ସବୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀରେ ମଥୁରା ଆସିଥାନ୍ତି। ମଥୁରା ଯାତ୍ରା ସମୟରେ ଆଜି ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ତାଙ୍କୁ ନିଃଶ୍ବାସ ନେବାରେ ଅସୁବିଧା ହେଉଥିଲା। ଏହାପରେ ତାଙ୍କ କରୋନା ଟେଷ୍ଟ କରାଯାଇଥିଲା। ଫଳରେ ସେ କରୋନାରେ ସଂକ୍ରମିତ ହୋଇଥିବା ଜଣା ପଡ଼ିଥିଲା। କିଛି ଦିନ ତଳେ ଅଯୋଧ୍ୟାରେ ରାମଲଲାର ୨ଜଣ ପୂଜାରୀ କରୋନା ସଂକ୍ରମିତ ହୋଇଥିଲେ। ଏହା ବ୍ୟତୀତ କେତେକ ପୋଲିସ୍ କର୍ମଚାରୀ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ।
114