Skip to content
ରାଜକନିକା,୧/୯(ଓଡିଆନ ମିଡ଼ିଆ): ଗାଁ ଦାଣ୍ଡରେ ବର୍ଷା ପାଣି ମାସ ମାସ ଧରି ଜମି ରହୁଛି । ପାଣି ନିଷ୍କାସନର କୌଣସି ବ୍ୟବସ୍ଥା ନାହିଁ । ଏହି କାରଣରୁ ମହିଳାମାନେ ରାଜକନିକା ବିଡ଼ିଓଙ୍କୁ ଘେରି ନିଜର ସମସ୍ୟା ସଂପର୍କରେ ଅବଗତ କରିଛନ୍ତି । ରାଜକନିକା ବ୍ଲକ୍ର ସଦର ମହକୁମାରେ ରହିଥିବା କଂଟପଡ଼ା ଗ୍ରାମପଂଚାୟତର ଗୋକେର୍ଣ୍ଣଶ୍ୱର (ଅସ୍ତବଲ)ଗ୍ରାମରେ ଲଗାଣ ବର୍ଷା ପାଣି ଗାଁ ଦାଣ୍ଡରେ ଜମି ରହୁଛି । ଜଳ ନିଷ୍କାସନ ହୋଇପାରୁ ନାହିଁ । ଏହି କାରଣକୁ ନେଇ ଘରୁ ପଦାକୁ ଗୋଡ଼ କାଢ଼ିଲେ ଆଣ୍ଠୁଏ ପାଣିରେ ପଶିବାକୁ ପଡ଼ୁଛି । ଏହି ଭଳି ସମସ୍ୟାରେ ପଡ଼ିଛନ୍ତି ଗ୍ରାମବାସୀ । କରୋନା ସମୟରେ ପ୍ରତିଦିନ ଗାଁର ଛୋଟ ପିଲାଙ୍କ ଠାରୁ ବୟସ୍କ ଲୋକମାନେ ପ୍ରତିଦିନ ପାଣିରେ ପଶି ଯିବା ଆସିବା କରିବା ଫଳରେ ଥଣ୍ଡା ଜ୍ୱରରେ ପଡ଼ୁଥିବାର ଅଭିଯୋଗ କରିଛନ୍ତି । ୧୮ ବର୍ଷ ତଳେ ଏକ କଂକ୍ରିଟ୍ ରାସ୍ତା ଏହି ଗ୍ରାମରେ ନିର୍ମାଣ କରାଯାଇଥିଲା । ହେଲେ ରାସ୍ତାରେ ଖାଲ ଖମାରେ ନଷ୍ଟ ହୋଇଯାଇଛି । ଏହା ସହିତ ରାସ୍ତାଟି ନିଚା ହୋଇଥିବା କାରଣରୁ ଜଳ ନିଷ୍କାସନ ହୋଇପାରୁ ନାହିଁ । ଜଳ ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ବର୍ଷା ପାଣି ମାସ ମାସ ଧରି ଗାଁ ମଧ୍ୟରେ ଜମି ରହୁଛି । ଗାଁରୁ ପାଣି ନିଷ୍କାସନ ନିମନ୍ତେ ଗ୍ରାମର ମହିଳାମାନେ ହରପ୍ରିୟା ବେହୁରା, ରଶ୍ମିତା ବେହେରା, ସେବତୀ ମୁଦୁଲି, ରାନୁପ୍ରଭା ବାରିକ୍, ଅଞ୍ଜଳିବାଳା ନାୟକ, ପ୍ରମିଳା ଦାଶ, ବିଦ୍ୟୁତ୍ ପ୍ରଭା ଜେନା, ସରସ୍ୱତୀ ମାଝୀ, ବାସନ୍ତୀ ନାୟକ, କୁନିରାଣୀ ସେଠୀ, ସୀତାରାଣୀ ମାଝୀ, ସୁମିତ୍ରା ନାଥ, ଅନଙ୍ଗ ମଞ୍ଜରୀ ସିଂ, ଅମ୍ବିକା ଦଳାଇ, ନିରୂପମା ରାୟ ଏବଂ ମଧୁସ୍ମିତା ଦାସ ପ୍ରମୁଖ ରାଜକନିକା ବିଡ଼ିଓଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଗ୍ରାମର ସର୍ବେଶ୍ୱର ମୁଦୁଲି, ଶ୍ରୀନିବାସ ଦାଶ ଏବଂ କାଶିନାଥ ମାଝି ପ୍ରମୁଖ ତୁରନ୍ତ ନୂତନ ରାସ୍ତା ନିର୍ମାଣ ସହିତ ଜଳ ନିଷ୍କାସନ ବ୍ୟବସ୍ଥା ଗ୍ରହଣ କରିବା ନେଇ ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି । ବିଡ଼ିଓ ବିକ୍ରମ କିଶୋର ପରିଡ଼ା ବନ୍ୟା ପରେ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି ।