82

ବଢୁଛି ପାଣି, ନଦୀକୂଳିଆଙ୍କ ଛନକା, ଜଳବନ୍ଦୀ ହେଲେ ଛ’ହଜାର

ରାଜକନିକା,୨୮/୮: ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀର ଜଳସ୍ତର ବଢ଼ି ଚାଲିଥିବାରୁ ବନ୍ୟା ଆଶଙ୍କା ବଢ଼ିବାରେ ଲାଗିଛି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଜରୁରୀ ସୂଚନା ଦେଇଛନ୍ତି । ଏହା ସହିତ କମିଶନର ଶ୍ରୀଜେନା କଟକ, ନୟାଗଡ଼, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଓ ଖୋର୍ଦ୍ଧା ଜିଲା ପ୍ରଶାସନକୁ ସତର୍କ ରହିବା ନେଇ ନିର୍ଦ୍ଦେଶ ଦେଇଛନ୍ତି । ସନ୍ଧ୍ୟା ସୁଦ୍ଧା ହୀରାକୁଦ ଜଳଭଣ୍ଡାର ୪୦ଟି ଗେଟ୍ ଖୋଲାଯାଇଥିବାର ଜଣାପଡ଼ିଛି । ଏହି କାରଣରୁ ଘଂଟାକୁ ଘଂଟା ବନ୍ୟାପାଣି ବଢ଼ୁଥିବାର ଦେଖିବା ପାଇଁ ମିଳିଛି । ଖରସ୍ରୋତ, ବ୍ରାହ୍ମଣୀ, କାଣୀ ଏବଂ ବୈତରଣୀରେ ପାଣି ବଢ଼ୁଥବାର ଦେଖିବା ପାଇଁ ମିଳିଛି । ପାଣି ବଢ଼ୁଥିବାରୁ ନଦୀ କୂଳିଆ ଗ୍ରାମବାସୀଙ୍କ ମନରେ ଛନକା ପଶୁଛି । ରାଜକନିକା ବ୍ଲକ୍‌ରେ ତିନୋଟି ପଂଚାୟତର ୧୩ଟି ଗ୍ରାମର ଛ’ ହଜାର ଲୋକେ ଜଳବନ୍ଦୀ ରହିଥିବାର ଜଣାପଡ଼ିଛି । ବ୍ଲକ୍‌ର ପଧାନପଡ଼ା, ବାରାହାଦୋମୁଣ୍ଡା ଏବଂ ପାରିନୂଆପଡ଼ା ପଂଚାୟତର ପାଣିଘେରରେ ରହିଥିବା ଗାଁଗୁଡ଼ିକର ଲୋକମାନଙ୍କୁ ଉଚ୍ଚସ୍ଥାନ ମାନଙ୍କୁ ଆଣିବା ପାଇଁ ପ୍ରଶାସନ ବ୍ୟବସ୍ଥା ଗ୍ରହଣ କରିଛନ୍ତି । ହେଲେ ଲୋକମାନେ ପାଣିକୁ ଦେଖି ଘର ଛାଡ଼ିବେ ବୋଲି କହିଛନ୍ତି । ପଧାନପଡ଼ା ପଂଚାୟତର ବନ୍ୟାଘେରରେ ରହିଥିବା ଗହମପାଳ ଏବଂ ସାନହଳୁପଡ଼ା ଗ୍ରାମର ଲୋକମାନଙ୍କୁ ସ୍କୁଲ ଘରେ ରନ୍ଧା ଖାଦ୍ୟା ଯୋଗାଇ ଦିଆଯାଇଛି । ସେହିଭଳି କନପୁର ଗାଁରେ ଚୁଡ଼ା ବିସ୍କୁଟ୍‌, ଗୁଡ଼ ଏବଂ ପାଣି ପାଉଚ୍ ବନ୍ୟାବିପନ୍ନଙ୍କୁ ଦିଆଯାଇଛି । ବାରାହା କନପୁର, କାଇମା କନପୁର, ବାରାହା ଦୋମୁଣ୍ଡା, କାଇମା ଦୋମୁଣ୍ଡା, ଗୁଣ୍ଠଳ, ମାନପୁରର ପାଂଚ ହଜାର ଲୋକେ ବନ୍ୟାରେ କ୍ଷତିଗ୍ରସ୍ତ ହେବା ନେଇ ବାରାହାଦୋମୁଣ୍ଡାର ସରପଂଚ ଶ୍ରଦ୍ଧାଞ୍ଜଳି ବେହୁରିଆ କହିଛନ୍ତି । ସେହିଭଳି ପଧାନପଡ଼ା, ସାନହଳୁପଡ଼ା, ବଡ଼ହଳୁପଡ଼ା, ବାଲିସାହି, ଗହମପାଳ ବର୍ତମାନ ସୁଦ୍ଧା ଲୋକମାନେ ପାଣି ଘେରରେ ରହିଛନ୍ତି । ପାରିନୂଆପଡ଼ା ପଂଚାୟତର ପାରିନୂଆପଡ଼ା ଏବଂ ହାବଳଗଣ୍ଡ ଗାଁରେ ବନ୍ୟାପାଣି ପ୍ରବେଶ କରିଛି । ପ୍ରତି ପଂଚାୟତ ପାଇଁ ଦୁଇଟି ଲେଖାଏଁ ଡ଼ଙ୍ଗାକୁ ଗାଁ ରେ ପ୍ରସ୍ତୁତି କରି ରଖାଯାଇଛି । ପ୍ରଶାସନ ପ୍ରସ୍ତୁତି ରହିଛି ଆସନ୍ତା କାଲି ଗୋଖାଦ୍ୟ ଦିଆଯିବ । ଆଜି ରନ୍ଧା ଖାଦ୍ୟ ସହିତ ଖୁଖିଲା ଖାଦ୍ୟ ଦିଆଯାଇଥିବାର ବିଡ଼ିଓ ବିକ୍ରମ କିଶୋର ପରିଡ଼ା କହିଛନ୍ତି । ସେହିଭଳି ଅତିରିକ୍ତ ତହସିଲଦାର ପ୍ରେମାନନ୍ଦ ବେହେରା କହିଛନ୍ତିଯେ, କନପୁର ଗାଁରେ ସୁଖିଲା ଖାଦ୍ୟ ଦିଆଯିବା ସହିତ ଲୋକମାନଙ୍କୁ ବନ୍ୟା ସଂପର୍କରେ ସତର୍କ କରାଯାଇଛି । ପଣସଗଣ୍ଡ ପଂଚାୟତରେ ଶହଶହ ଏକର ଚାଷ ଜମିରେ ଧାନଫସଲ କ୍ଷତିଗ୍ରସ୍ତ ହେବା ନେଇ ସରପଂଚ ଦେବଦତ ଦାସ କହିଛନ୍ତି ।
Spread the love