109

ରୂପାରେ ଝଲସିବ ଶ୍ରୀମନ୍ଦିର ଦ୍ୱାର

ପୁରୀ : ରୂପାରେ ଝଲସିବ ପୁରୀ ଶ୍ରୀମନ୍ଦିରର ସାତ ଦ୍ୱାର । ଶ୍ରୀମନ୍ଦିରର ସିଂହଦ୍ୱାର, ଜୟବିଜୟ, କଳାହାଟ ଦ୍ୱାରା ରୂପାରେ ଝଲସିବ । ସେହିପରି ରତ୍ନଭଣ୍ଡାରର ଭିତର ଓ ବାହାର ଦ୍ୱାର ନୂତନ କରି ନିର୍ମାଣ ହେବ । ଶ୍ରୀମନ୍ଦିରର ଭିତର ଓ ବାହାରର ୪ ଦ୍ୱାର କବାଟକୁ ମରାମତି କରାଯିବ । ଏହି ମରାମତି ସମୟରେ ସମସ୍ତ ଦ୍ୱାରରେ ରୂପାର ଚାଦର ଦିଆଯିବ। ମନ୍ଦିରର ସିଂହଦ୍ୱାର, ଜୟବିଜୟ ଦ୍ୱାର, କଳାହାଟ ଦ୍ୱାର, ରତ୍ନଭଣ୍ଡାର ଭିତର ଓ ବାହାର ଦ୍ୱାର ଏବଂ ବଡ ଦେଉଳର ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଦ୍ୱାର ନୂଆ କରି ତିଆରି ହେବ। ଏହି ସବୁ ଦ୍ୱାର ବର୍ମାରୁ ଆସି ପିଆଶାଳ‌ କାଠରେ ତିଆରି କରାଯିବ ବୋଲି କୁହାଯାଉଥିବା ବେଳେ କବାଟ ଉପରେ ରୂପାର ଚାଦର ଆଚ୍ଛାଦିତ କରାଯିବ। ଶ୍ରୀମନ୍ଦିରର ଏହି ସବୁ ଦ୍ୱାରରେ ପ୍ରାୟ ୧ କ୍ୱିଂଟାଲରୁ ଅଧିକ ରୂପା ଲାଗିବ। ରାଜସ୍ଥାନର କାରିଗରମାନେ ଏହାର ଡିଜାଇନ୍‌ କରିବେ। ଏହି ରୂପାକୁ ମହାପ୍ରଭୁଙ୍କର ଜଣେ ଭକ୍ତ ଦାନ କରିବାକୁ ସହମତି ପ୍ରକାଶ କରିଥିବା ଜଣାପଡିଛି। ତେବେ ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ୩ଟି ଦ୍ୱାରର କାମ କରାଯିବ । ଯଥା, ଗର୍ଭଗୃହ ସଂଲଗ୍ନ କଳାହାଟ ଦ୍ୱାର, ଜଗମୋହନ ସଂଲଗ୍ନ ଜୟବିଜୟ ଦ୍ୱାର ଓ ମୁକ୍ତି ମଣ୍ଡପ ସମ୍ମୁଖ ବେହରଣ ଦ୍ୱାରର ମରାମତି କାମ କରାଯିବ । ଏହି କାମ ଖୁବଶୀଘ୍ର ଆରମ୍ଭ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିବା ପରିଚାଳନା କମିଟି ସଦସ୍ୟ କହିଛନ୍ତି । ମନ୍ଦିର ଦ୍ୱାର ଓ କବାଟ ମରାମତି କାମର ତଦାରଖ ପାଇଁ ଜଣେ ଆଇଏଏସ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯିବ।

Spread the love