ରାଜକନିକା,୨୭/୮(ଓଡିଆନ ମିଡ଼ିଆ): ରାଜକନିକା ବ୍ଲକ୍ରେ ପାଣି ଘେରରେ ରହିଥିବା ଗାଁ ଗୁଡ଼ିକୁ ଗୁରୁବାର ବୁଲି ଦେଖିଛନ୍ତି କେନ୍ଦ୍ରାପଡ଼ା ଜିଲାପାଳ ସମର୍ଥ ବର୍ମା । ବୈତରଣୀ ଏବଂ ଖରସ୍ରୋତାରେ ବନ୍ୟାଜଳ ଆସିବାରୁ ସନ୍ଧ୍ୟା ସୁଦ୍ଧା ରାଜକନିକା ବ୍ଲକ୍ର ପଧାନପଡ଼ା ଏବଂ ବାରାହାଦୋମୁଣ୍ଡା ପଂଚାୟତର ପାଣିଘେରରେ ରହିଥିବା ଗାଁଗୁଡ଼ିକର ଲୋକମାନଙ୍କୁ ଉଚ୍ଚସ୍ଥାନ ମାନଙ୍କୁ ଆଣିବା ପାଇଁ ବ୍ୟବସ୍ଥା ଗ୍ରହଣ କରିଛନ୍ତି । ଅତିରିକ୍ତ ତହସିଲଦାର ପ୍ରେମାନନ୍ଦ ବେହେରା ବାରାହା-ଦୋମୁଣ୍ଡା ପଂଚାୟତର ସେଠିସାହି, ଗୋପାଳସାହି, ନାୟକସାହି, ଜେନାସାହି, ବାରାହା କାନପୁର, କାଇମା କାନପୁର ଗ୍ରାମରେ ପହଂଛି ପାଣିଘେରରେ ରହିଥିବା ଲୋକମାନଙ୍କୁ ଭେଟି ତୁରନ୍ତ ଉଚ୍ଚ ସ୍ଥାନକୁ ଆସିବା ପାଇଁ କହିଛନ୍ତି । ସେହିଭଳି ପଧାନପଡ଼ା, ସାନହଳୁପଡ଼ା, ବଡ଼ହଳୁପଡ଼ା, ବାଲିସାହି, ଗହମପାଳ ବର୍ତମାନ ସୁଦ୍ଧା ଲୋକମାନେ ପାଣି ଘେରରେ ରହିଛନ୍ତି । ତତ୍କାଳ ପାଣିବଢ଼ିଲେ ଦୁଇଟି ଡ଼ଙ୍ଗାକୁ ଗାଁ ରେ ପ୍ରସ୍ତୁତି କରି ରଖାଯାଇଛି । ବିଡ଼ିଓ ବିକ୍ରମ ପରିଡ଼ା ପଧାନପଡ଼ା ପଂଚାୟତର ପାଣିଘେରରେ ରହିଥିବା ଗାଁକୁଡ଼ିକରେ ପହଂଚିଛନ୍ତି । ଦୁଇଟି ପଂଚାୟତର ୧୧ଟି ଗ୍ରାମର ପାଂହଜାର ଲୋକେ ଜଳବନ୍ଦୀ ରହିଥିବାର ଜଣାପଡ଼ିଛି । ଲୋକମାନଙ୍କୁ କନପୁର ହାଇସ୍କୁଲ ଏବଂ ନୋଡ଼ାଲ ସ୍କୁଲରେ ରହିବା ପାଇଁ ବ୍ୟବସ୍ଥା କରାଯାଇଛି । ଏହା ସହିତ ପିଇବା ପାଣି ପାଇଁ ଦୁଇଟି ଟ୍ୟାଙ୍କରକୁ ଗାଁରେ ପହଂଚାଯାଇଛି । ରନ୍ଧାଖାଦ୍ୟ ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଇଛି । ୨୮ ତାରିଖ ସୁଦ୍ଧା ଆଉ ଦୁଇ ଫୁଟ୍ ପାଣି ବଢ଼ିବା ନେଇ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋର୍ତିମୟ ରଥ ସୂଚନା ଦେଇଛନ୍ତି । ଚଳିତ ବର୍ଷ ସାମ୍ଭାବ୍ୟବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରାଯାଇଛି । ତଳିଆ ଅଂଚଳର ଲୋକମାନଙ୍କୁ ଉଚ୍ଚ ସ୍ଥାନ ମାନଙ୍କୁ ଆଣିବା ପାଇଁ ବ୍ଲକ୍ ପ୍ରଶାସନ ବ୍ୟବସ୍ଥା ଗ୍ରହଣ କରିଛି । ଏହା ସହିତ ପଣସଗଣ୍ଡ, ପାରିନୂଆପଡ଼ା ପଂଚାୟତରେ ମଧ୍ୟ ପାଣି ବଢ଼ିବାରେ ଲାଗିଛି । ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ଲୋକମାନଙ୍କୁ ସୂଚନା ଦିଆଯାଇଛି । ଓଡ଼୍ରାଫ୍ ଟିମ୍ ପ୍ରସ୍ତୁତ ରହିଛନ୍ତି । ଆସୁଥିବା ବନ୍ୟାକୁ ସାମ୍ନା କରିବାକୁ ପ୍ରଶାସନ ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରିଥିବାର ଅତିରିକ୍ତ ତହସିଲଦାର ପ୍ରେମାନନ୍ଦ ବେହେରା କହିଛନ୍ତି ।
174