133

ଘରୋଇ କବ୍‌ଜାରେ କନିକା ରାଜାଙ୍କ ସ୍ଳୁଇସ୍‌ଗେଟ୍‌, ଜଳ ନିଷ୍କାସନରେ ବାଧା

ବର୍ଷା ଜଳରେ ଉବୁଟୁବୁ ରାଜକନିକା 

ରାଜକନିକା,୨୬/୮( ଓଡିଆନ ମିଡ଼ିଆ): ଯେଉଁ ଆଡ଼େ ଚାହିଁବେ ଖାଲି ପାଣି ପାଣି ଆଉ ପାଣି । ପଡ଼ିଆ ହେଉକି ବିଲବଣ । ସରକାରୀ କାର୍ଯ୍ୟାଳୟ ହେଉକି ବଜାର ରାସ୍ତାଘାଟ ସବୁ ଏକାକାର ହୋଇପଡ଼ିଛି । ଜଳମଗ୍ନ ସମଗ୍ର ଅଂଚଳ । ସବୁ ଆଡ଼େ ପାଣିର ଲହଡ଼ି ମାରୁଛି । ଗାଁ ରାସ୍ତାରେ ପାଣିରେ ବୁଡ଼ିଛି । ଲୋକେ ଘରୁ ବାହାରିପାରୁ ନାହାଁନ୍ତି । ଆଣ୍ଠୁଏ ଆଣ୍ଠୁଏ ପାଣି । ଜଳବନ୍ଦୀରେ ରହିଛନ୍ତି ତଳିଆ ଅଂଚଳର ଲୋକମାନେ । ଏହା ସହିତ କନିକା ରାଜା ରାଜୁଡ଼ା ସମୟରୁ ହୋଇଥିବା ମାଷ୍ଟର ପ୍ଲାନ୍‌ରେ ରହିଥିବା ବ୍ରିିଟିଶ୍ ଅମଳର ସ୍ଲୁଇସ୍ ଅକାମୀ ହୋଇପଡ଼ିଛି । ଗଂଜା ନଦୀ ଠାରୁ କାଳିକାପୁର, କୋଠସାହିରୁ ବରୁଡ଼ିଆ, ଗୁଆଳିଗାଁ ପର୍ଯ୍ୟନ୍ତ ୩୮ଟି ସ୍ୱତନ୍ତ୍ର ସ୍ଲୁଇସ୍କୁ କନିକା ରାଜା ନିର୍ମାଣ କରାଇଥିଲେ । ଏହି କାରଣରୁ ରାଜକନିକା ସହରରେ ଶହେ ବର୍ଷ ମଧ୍ୟରେ ବନ୍ୟା ଆଉ ବର୍ଷା ଜଳ ନିଷ୍କାସନ ହେଉନଥିଲା । ସହଜରେ ବର୍ଷା ପାଣି ଏବଂ ବନ୍ୟାପାଣି ଖରସ୍ରୋତା ନଦୀରୁ ବୈତରଣୀ ନଦୀ ମଧ୍ୟକୁ ସଂଯୋଗୀକରଣ କରାଯାଇଥିଲା । ଫଳରେ ଯେତେ ବଡ଼ ବନ୍ୟା ହେଉକି ବର୍ଷା ପାଣି ତାହା ଖୁବ୍ କମ୍ ସମୟରେ ନିଷ୍କାସିତ ହୋଇଯାଉଥିଲା । ହେଲେ ଏବେ ଏହି ପାଣି ସମସ୍ୟ।। ମନୁଷ୍ୟକୃତ ବୋଲି କୁହାଯାଉଛି । ନାଳକୁ ପୋତି ଘର ତୋଳିବା କାରଣକୁ ନେଇ ଅଧିକ ସମସ୍ୟା ଦେଖାଦେଇଛି । ସ୍ଲୁଇସ୍‌କୁ ପୋତି ଲୋକମାନେ ଘର କରିଛନ୍ତି । ନାଳଉପରେ ଜୋର ଜବରଦସ୍ତ ଦୋକାନ୍ ଘର କରି ବ୍ୟବସାୟ କରୁଛନ୍ତି । ଏହି କାରଣରୁ ଦିନକୁ ଦିନ ରାଜକନିକା ବର୍ଷା ଜଳରେ ଭାସିବା ନେଇ ପୁରୁଖା ଲୋକମାନେ କହିଛନ୍ତି । ଏବେ ବର୍ଷା ପାଣି ନିଷ୍କାସନ ପାଇଁ ସମସ୍ୟା ବଢ଼ିବାରେ ଲାଗିଛି । ଏହି କାରଣରୁ ଲୋକମାନଙ୍କ ଘରେ ପାଣି ପସିଛି । ଏହା ସହିତ କନିକା ରାଜାଙ୍କ ନାଳଉପରେ ଘର ତୋଳବା କାରଣରୁ ପାଣି ନିଷ୍କାସନ ହୋଇପାରୁ ନଥିବାର ଜଣାପଡ଼ିଛି । ରାଜକନିକା ସହର ମଧ୍ୟରେ ବିଦେଶୀ ପ୍ରଣାଳୀରେ ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେବ ମାଷ୍ଟରପ୍ଲାନ୍ କରିଥିଲେ । ହେଲେ ଆଜି ଶହେ ବର୍ଷ ପରେ ସ୍ଲୁଇସ୍ ଗୁଡ଼ିକ ଘରୋଇ ଲୋକମାନଙ୍କ କବଜାରେ ରହିଛି । ଏହି କାରଣରୁ ପାଣି ସମସ୍ୟା ଅଧିକ ଦେଖାଦେଇଛି । ନିଷ୍କାସନ ହୋଇପାରୁ ନାହିଁ ବର୍ଷା ଜଳ । କାଳିକାପୁର, ଗୋକେର୍ଣ୍ଣଶ୍ୱର, ଶିବେନ୍ଦ୍ରନଗର, ଫାର୍ମହାଇସ୍‌, ଗବିଚାସାହି ସହିତ କନିକା ତହସିଲ, ବ୍ଲକ୍ କାର୍ଯ୍ୟାଳୟ, ସ୍ୱାସ୍ଥ୍ୟକେନ୍ଦ୍ର, ଏସ୍‌ଏନ୍ କଲେଜ, କଂଟପଡ଼ା ବଜାରରେ ବର୍ଷାପାଣି ଲହଡ଼ି ମାରୁଛି । ଲୋକମାନେ ସନ୍ଧ୍ୟା ପୂର୍ବରୁ ନିଜ ଘରୁ ବାହାରୁ ନଥିବାର ମଧ୍ୟ ଜଣାପଡ଼ିଛି । ତୁହାକୁ ତୁହା ବର୍ଷା ଲାଗିରହିଛି । ଅନେକ ସ୍ଥାନରେ କିଛି ଗଛ ଉପୁଡ଼ି ପଡ଼ିଥିବାର ମଧ୍ୟ ଖବର ମିଳିଛି । କଚ୍ଚାଘର ଗୁଡ଼ିକ ବିପଦରେ ରହିଛି । ଆଂଶିକ କ୍ଷତିଗ୍ରସ୍ତ ହୋଇଥିବାର ମଧ୍ୟ ଜଣାପଡ଼ିଛି । ବିଲରେ ପ୍ରାୟ ଛଅରୁ ଆଠ ଫୁଟ୍‌ରେ ପାଣି ବୁଡ଼ି ରହିଛି । ଧାନଫସଲ ନଷ୍ଟ ହେବା ଏକ ପ୍ରକାର ସୁନିଶ୍ଚିନ୍ତ ହୋଇପଡ଼ିଛି । ଏହି କାରଣରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି ।

Spread the love