178

ଡେପୁଟି ଡ୍ରଗ୍ସ୍ ଅଫିସର କହି ଲକ୍ଷାଧିକ ଟଙ୍କା ଠକେଇ; ଯୁବକ ଗିରଫ

ନବରଙ୍ଗପୁର,୨୩/୮(ଓଡିଆନ ମିଡିଆ): ନିଜକୁ ବିଭିନ୍ନ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ କହି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲୋକଙ୍କୁ ଠକି ମୋଟା ଅଙ୍କର ଟଙ୍କା ଆଦାୟ କରୁଥିବା ଜଣେ ଠକକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ବର୍ତ୍ତମାନ ମିଷ୍ଟର ୪୨୦ କୁ ନବରଙ୍ଗପୁର ଜିଲ୍ଲା ଉମରକୋଟ ପୋଲିସ ରିମାଣ୍ଡରେ ନେଇଛନ୍ତି । ଉମରକୋଟର ଜଣେ ଡାକ୍ତରଙ୍କ ଠାରୁ ୧ ଲକ୍ଷ ଟଙ୍କା ଠକି ନେଇଥିଲେ ଏହି ମିଷ୍ଟର ୪୨୦ । ତାହା ମଧ୍ୟ ଡାକ୍ତରଙ୍କ ଘରେ ଲାଗିଥିବା ସିସିଟିଭି ଫୁଟେଜରୁ ଜାଣିବାକୁ ମିଳିଛି । ଗତ ନଭେମ୍ବର ମାସ ୧୫ ତାରିଖ ୨୦୧୯ ମସିହାରେ ନବରଙ୍ଗପୁର ଜିଲ୍ଲା ଉମରକୋଟର ଜଣେ ଜଣାଶୁଣା ହୋମିଓପ୍ୟାଥିକ ଡାକ୍ତର ପଞ୍ଚାନନ ମିଶ୍ରଙ୍କ ଘରେ ସୁଟ ପିନ୍ଧା ଭଦ୍ର ବ୍ୟକ୍ତି ଜଣେ ଅଫିସର ବେଶରେ ଆସିଥିଲେ । ନିଜକୁ ଜଣେ ଡେପୁଟି ଡ୍ରଗ୍ସ ଇନ୍ସପେକ୍ଟର କହି ଡାକ୍ତର ମିଶ୍ରଙ୍କୁ ଲାଇସେନ୍ସ ଓ ବିଭିନ୍ନ କାଗଜ ପତ୍ର ମାଗିଥିଲେ । ଡାକ୍ତର ଜଣକ କାଗଜ ପତ୍ର ଦେଖାଇବା ପୂର୍ବରୁ ତାଙ୍କୁ ଧମକ ଚମକ ଦେଇ ତାଙ୍କ ପାଖରେ ଅଧିକ ଷ୍ଟକ ଥିବା କହିବା ସହ ତାଙ୍କୁ ଟଙ୍କା ମଧ୍ୟ ମାଗିଥିଲେ ।ଯଦି ଟଙ୍କା ନଦେବେ ତାହାର ବିକଳ୍ପ ପନ୍ଥା ମଧ୍ୟ ଗ୍ରହଣ କରାଯିବ ବୋଲି ଧମକ ଦେବା ସହ ତାଙ୍କ ନିକଟରୁ ୧ ଲକ୍ଷ ଟଙ୍କା ନେଇ ଗାୟବ ହୋଇଯାଇଥିଲେ । ବ୍ୟକ୍ତି ଜଣକ ଚାଲିଯିବା ପରେ ଡାକ୍ତର ଜଣକ ଜାଣିବାକୁ ପାଇଥିଲେ ଯେ ଉକ୍ତ ବ୍ୟକ୍ତି ଜଣକ ଠକ ବୋଲି । ପରେ ଡାକ୍ତର ଜଣକ ଉମରକୋଟ ଥାନାରେ ଏନେଇ ଏତଲା ଦେଇଥିଲେ । ୧୧ ମାସର ବ୍ୟବଧାନ ପରେ ଏହି ଠକ ଜଣକ ବାଲିଅନ୍ତା ପୋଲିସ ହାତରେ ଧରା ପଡ଼ିଛି। ନିଜକୁ ନାବାର୍ଡ ଅଧିକାରୀ କହି ଜଣେ ବ୍ୟକ୍ତିଙ୍କ ଠାରୁ ଟଙ୍କା ଆଦାୟ କରୁଥିବା ସମୟରେ ପୋଲିସ ହାତରେ ଧରା ପଡିଛି । ବର୍ତ୍ତମାନ ଉମରକୋଟ ପୋଲିସ ତାଙ୍କୁ ୭ ଦିନିଆ ରିମାଣ୍ଡରେ ଆଣିଛି ।ଠକ ବ୍ୟକ୍ତି ଜଣକ ସ୍ମିତ ସେଠୀ ଓରଫ ପପୁ ସେ ବାଲେଶ୍ୱର ଜିଲ୍ଲା ର ହୋଇଥିବା ବେଳେ ବର୍ତ୍ତମାନ ଭୁବନେଶ୍ୱରର ରସୁଲଗଡ଼ ଅଞ୍ଚଳରେ ରହି ତାର ଏହି ଠକ କାରବାର ଚଲାଉଥିଲା । ମିଷ୍ଟର ୪୨୦ କୁ ଧରିଥିବାରୁ ପୋଲିସକୁ ଧନ୍ୟବାଦ ଦେବା ସହ ନ୍ୟାୟିକ ବ୍ୟବସ୍ଥା ଉପରେ ଆସ୍ଥା ପ୍ରକଟ କରିଛନ୍ତି । ଅନ୍ୟପକ୍ଷରେ ମାଜିଷ୍ଟ୍ରେଟଙ୍କ ଅଦାଲତ ଅଭିଯୁକ୍ତ ସ୍ମିତ ସେଠି ଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠେଇଥିବା ବେଳେ ଉମରକୋଟ ପୋଲିସ ଅଧିକ ତଦନ୍ତ ପାଇଁ ରିମାଣ୍ଡରେ ଆଣିଥିଲେ।
Spread the love