72

ଓଡିଶା ଉପକୂଳ, ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାରେ ଲାଗିରହିଛି ପ୍ରବଳ ବର୍ଷା

ଭୁବନେଶ୍ୱର,୧୯।୦୮ :  ଉତ୍ତର-ପୂର୍ବ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଓ ସକ୍ରିୟ ମୌସୁମୀ ପ୍ରଭାବରେ ଆଜି ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଆଗାମୀ ୨୪ ଘଣ୍ଟା ମଧ୍ୟେରେ ଏହା ଅଧିକ ଘନିଭୂତ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଜି ୧୨ ଜିଲ୍ଲାରେ ପ୍ରବଳରୁ ପ୍ରବଳତର  ବର୍ଷା ସମ୍ଭାବନା ରହିଛି। । ସେହିପରି ଆସନ୍ତା ୨ ଦିନ ରାଜ୍ୟରେ ବର୍ଷା ଲାଗି ରହିବ । ପ୍ରବଳରୁ ପ୍ରବଳତର ବର୍ଷା ହେବ ଉପକୂଳ, ଉତ୍ତର ଆଭ୍ୟନ୍ତରୀଣ ଏବଂ ପାଶ୍ୱର୍ବର୍ତ୍ତୀ ଜିଲ୍ଲାରେ । କେତେକ ଜିଲ୍ଲାରେ ଅତି ପ୍ରବଳ ବର୍ଷା ଆଶଙ୍କା ଅଛି । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଆଜି ସକାଳୁ ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢ଼େଙ୍କାନାଳ, ସୁନ୍ଦରଗଡ଼, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, କେନ୍ଦୁଝର, ବଲାଙ୍ଗୀର ଓ ସୋନପୁର ଜିଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏଥିମଧ୍ୟରୁ ଅନୁଗୋଳ, ଦେବଗଡ଼ ଓ ସମ୍ବଲପୁର ଜିଲାରେ ଅତି ପ୍ରବଳ ବର୍ଷା ହେବ। ସମସ୍ତ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ମୟୂରଭଞ୍ଜ, ଝାରସୁଗୁଡ଼ା, ବାଲେଶ୍ବର, ଝାରସୁଗୁଡ଼ା, ବରଗଡ଼, ଜଗତସିଂହପୁର, ବୌଦ୍ଧ, କଳାହାଣ୍ଡି ଓ କୋରାପୁଟ ଜିଲାରେ ବର୍ଷା ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୨୦ ତାରିଖରେ ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର, ଦେବଗଡ଼ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଅଛି। ଏହା ପରଦିନ ବର୍ଷା ପରିମାଣ ହ୍ରାସ ପାଇବ। ତେବେ ଗୋଟିଏ ଦିନ ପରେ ୨୨ ତାରିଖରେ କେନ୍ଦୁଝର, ଅନୁଗୋଳ, ମୟୂରଭଞ୍ଜ, ଢ଼େଙ୍କାନାଳ, ବାଲେଶ୍ବର ଏବଂ ଭଦ୍ରକ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୨୦ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ କୁହାଯାଇଛି।  ଲଗାଣ ବର୍ଷା ପୂର୍ବାନୁମାନ ପରେ ପୁଣି ଥରେ ବନ୍ୟା ଚିନ୍ତା ବଢ଼ିଛି । ଛତିଶଗଡ଼ରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ମହାନଦୀ ଫୁଲିପାରେ । ଅନ୍ୟପକ୍ଷରେ ଉତ୍ତର ଓଡ଼ିଶା ଦେଇ ପ୍ରବାହିତ ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା ଓ ଜଳକା ନଦୀ ଉଛୁଳିବା ସହ ବନ୍ୟା ସ୍ଥିତି ଉପୁଜିବା ଆଶଙ୍କା ରହିଛି । ସମ୍ଭାବ୍ୟ ସ୍ଥିତିକୁ ଦେଖି ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଲଗାଣ ବର୍ଷାକୁ ଲକ୍ଷ୍ୟ ରଖି ସମସ୍ତ ଜିଲ୍ଲାପାଳଙ୍କୁ ସତର୍କତା ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର ।
Spread the love