112

ଆଜିଠାରୁ ଏକକ ପିଜି ପ୍ରବେଶିକା ପାଇଁ ଫର୍ମପୂରଣ

ଭୁବନେଶ୍ଵର୧୨/୮(ଓଡିଆନ ମିଡ଼ିଆ) : ୨୦୨୦-୨୧ ଶିକ୍ଷାବର୍ଷରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା ସମସ୍ତ ବିଶ୍ଵବିଦ୍ୟାଳୟ, ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ସ୍ନାତକୋତ୍ତର(ପିଜି) ନ‌ାମଲେଖା ପାଇଁ ଏକକ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଏକକ ପ୍ରବେଶିକା ପରୀକ୍ଷାର ମେଧା ତାଲିକା ମୁତାବକ ଛାତ୍ରଛାତ୍ରୀ ନାମ ଲେଖାଇପାରିବେ। ନାମ ଲେଖା ସମ୍ବନ୍ଧୀୟ ନିୟମାବଳୀ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି କରାଯାଇଛି। ବିଭାଗ ପକ୍ଷରୁ ଜାରି ନିୟମାବଳୀ ଅନୁଯାୟୀ ପ୍ରବେଶିକା ପରୀକ୍ଷା ପାଇଁ ବିଦ୍ୟାର୍ଥୀ କେବଳ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଅଫ୍‌ଲାଇନ୍‌ରେ କୌଣସି ବିଦ୍ୟାର୍ଥୀ ଆବେଦନ କରିବେ ନାହିଁ। ଜଣେ ବିଦ୍ୟାର୍ଥୀ ସର୍ବାଧିକ ୫ଟି ବିଷୟ ଓ ୧୦ ଶିକ୍ଷାନୁଷ୍ଠାନ ପାଇଁ ଆବେଦନ କରିପାରିବେ। ସାଧାରଣ ବର୍ଗର ଛାତ୍ରଛାତ୍ରୀ ୫୦୦ ଟଙ୍କା ଓ ଏସ୍‌ସି/ଏସ୍‌ଟି ଛାତ୍ରଛାତ୍ରୀଙ୍କ ପାଇଁ ୩୦୦ ଟଙ୍କା ଦେୟ ଦାଖଲ କରିବାକୁ ପଡ଼ିବ। ବିଦ୍ୟାର୍ଥୀ କେବଳ ଅନ୍‌ଲାଇନ୍‌ରେ ଫି ଦାଖଲ କରିପାରିବେ। ଫି’ ଦାଖଲ କରିବା ପରେ ଫେରସ୍ତ କରାଯିବ ନାହିଁ। ତେବେ ଗୋଟିଏ ବିଷୟରୁ ଅଧିକ ବିଷୟ ପାଇଁ ଆବେଦନ କଲେ ପ୍ରତି ବିଷୟ ପିଛି ୨ ଶହ ଟଙ୍କା ଅତିରିକ୍ତ ଦେୟ ଦେବାକୁ ପଡ଼ିବ। ଭିନ୍ନକ୍ଷମ ଓ କିନ୍ନର ବର୍ଗର ଆବେଦନକାରୀଙ୍କ ପାଇଁ କୌଣସି ଅର୍ଥ ଦେବାକୁ ପଡ଼ିବ ନାହିଁ। ବିଶ୍ଵବିଦ୍ୟାଳୟ ଓ ମହାବିଦ୍ୟାଳରେ ନାମଲେଖା ସମୟରେ ଛାତ୍ରଛାତ୍ରୀଙ୍କ ଓରିଜିନାଲ ସାର୍ଟିଫିକେଟ୍‌, ମାର୍କସିଟ୍‌ ସହ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ କରାଯିବ। ଯଦି ସାର୍ଟିଫିକେଟ୍‌/ମାର୍କସିଟ୍‌ ଓ ଅନ୍ୟାନ୍ୟ କାଗଜପତ୍ର ଭୁଲ୍‌ ଥିବା ପ୍ରମାଣିତ ହୁଏ ତେବେ ସମ୍ପୃକ୍ତ ଆବେଦନକାରୀଙ୍କ ନାମଲେଖାଇପାରିବେ ନାହିଁ।
କୋଭିଡ୍‌-୧୯ ପରିପ୍ରେକ୍ଷୀରେ ଛ‌ାତ୍ରଛାତ୍ରୀ ନିୟମିତ ଭାବେ ‘www.dheodisha.gov.in’ ଓ ‘www.samsodisha.gov.in’ ଲଗ୍‌ଇନ୍‌ କରି ସବିଶେଷ ତଥ୍ୟ ପାଇପାରିବେ। ବିଶ୍ଵବିଦ୍ୟାଳୟ ଓ କଲେଜର ୱେବସାଇଟ୍‌କୁ ଯାଇ ହଷ୍ଟେଲ ସିଟ୍‌ ଓ ଅନ୍ୟାନ୍ୟ ଫି’ ବାବଦରେ ଜାଣିପାରିବେ। ସୂଚନାଯୋଗ୍ୟ, ଆସନ୍ତା ୧୨ରୁ୩୧ ତାରିଖ ଯାଏଁ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ ବିଦ୍ୟାର୍ଥୀ। ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ୨୦ ନଭେମ୍ବର ସୁଦ୍ଧା ନାମଲେଖା ପ୍ରକ୍ରିୟା ଶେଷ ହେବା ସହ ଡିସେମ୍ବର ପହିଲାରୁ ପାଠପଢ଼ା ଆରମ୍ଭ ହେବ।

Spread the love